Latest News

ରେଇ ସିଣ୍ଡ୍ରୋମ

ଡକ୍ଟର ଜ୍ୟୋତିରଂଜନ ଚମ୍ପତିରାୟ 25/03/2024ସ୍ୱାସ୍ଥ୍ୟ ଓ ଚିକିତ୍ସା

 ଭୁବନେଶ୍ୱରର ଆଠ ବର୍ଷର ବାଳକ ଶୁଭ୍ରଜିତ ସୁସ୍ଥ ସବଳ ଓ ସବୁ ଠିକ୍ ଠାକ୍ ଥିଲା । ହଠାତ୍ ଜ୍ୱରରେ ପୀଡ଼ିତ ହେଲେ ପରେ ପରେ ତାଙ୍କ ଜୀବନ ଦୀପ ନିର୍ବାପିତ ହୋଇଗଲା । ଡାକ୍ତରୀ ଯାଞ୍ଚ ପରେ ଜଣାପଡ଼ିଲା ଯେ ପିଲାଟି ରେଇ ସିଣ୍ଡ୍ରୋମ ନାମକ ରୋଗରେ ପୀଡ଼ିତ ଥିଲା ଯାହାଦ୍ୱାରା ତାର ମସ୍ତିଷ୍କ ଓ ଲିଭର ନଷ୍ଟ ହୋଇଯାଇଥିଲା । ଏସବୁ ଡାକ୍ତର ପରାମର୍ଶ ଗ୍ରହଣ କଲାବେଳକୁ ସେ ଶେଷ ସମୟରେ ପହଞ୍ଚି ସାରିଥିଲେ । ତେବେ ଏହି ରେଇ ସିଣ୍ଡ୍ରୋମ ଓଡ଼ିଶାବାସୀଙ୍କ ପାଇଁ ଏକ ପ୍ରକାର ବିରଳ ରୋଗ କହିଲେ ଅତ୍ୟୁକ୍ତି ହେବନାହିଁ । ଯଦିଓ ଏହାକୁ ନେଇ ଅଭିଭାବକଙ୍କ ଭିତରେ ଛନକା ପଶିଛି ଏବଂ ଏହାକୁ ନେଇ ନାନା ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି । ଓଡ଼ିଶାରେ ଏହାକୁ ନେଇ ଅନେକ ଚାଞ୍ଚଲ୍ୟକର ଖବର ସବୁ ପ୍ରକାଶ ପାଉଛି । ଏସବୁ ଭିତର ଅନେକ ଖବର ସବୁ ସତ୍ୟ ଉପରେ ପର୍ଯ୍ୟବେସିତ ନୁହେଁ ଯାହାକି ଲୋକମାନଙ୍କ ଭିତରେ ରେଇ ସିଣ୍ଡ୍ରୋମକୁ ନେଇ ଯେତିକି ଆତଙ୍କ ଖେଳାଇଛି ସମ ଭାବରେ ଏହି ରୋଗ କିପରି? କ’ଣ? ଏହାର ନିରାକରଣ କ’ଣ? ଏସବୁ ନେଇ ଆଲୋଚନା ଓ ଆଗ୍ରହ ସୃଷ୍ଟି ହେବା ସ୍ୱାଭାବିକ । ଅସଲ କଥା ହେଉଛି ଛୋଟ ପିଲାଙ୍କଠାରେ ଭାଇରାଲ ଜ୍ୱର ଅନେକ କ୍ଷେତ୍ରରେ ଦେଖାଦେଇଥାଏ । ଅନେକ ଅଭିଭାବକ ଏହି ଭାଇରାଲ ଜ୍ୱର ସମୟରେ ପିଲାଟିର ରକ୍ତ ପରୀକ୍ଷା ନିରୀକ୍ଷା ନକରି କିମ୍ବା ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନ ନେଇ ସାଧାରଣ ଜ୍ୱରର ଉପଚାର କରିଥାନ୍ତି । କେତେକ କ୍ଷେତ୍ରରେ ନିଜେ ମନମାନି କରି ଔଷଧ ଦୋକାନରୁ ଔଷଧ କିଣିଆଣି ଥାନ୍ତି । ତେବେ ଏହି ଭାଇରାଲ ଜ୍ୱରରୁ ରେଇ ସିଣ୍ଡ୍ରୋମ ରୋଗ ମୂଳଦୁଆ ପଡ଼ିଥାଏ କହିଲେ ଅତ୍ୟୁକ୍ତି ହେବନାହିଁ । ଏହାର ସହଜ ଶିକାର ହୋଇଥାନ୍ତି ପାଞ୍ଚ ବର୍ଷରୁ ପନ୍ଦର ବର୍ଷ ପର୍ଯ୍ୟନ୍ତ ଶିଶୁମାନେ । କେତେକ କ୍ଷେତ୍ରରେ ଜ୍ୱର ଆରମ୍ଭ ହୋଇ ଚିକିତ୍ସାଧୀନ ସମୟରେ ପରୀକ୍ଷାରୁ ଜଣାପଡ଼େ କିମ୍ବା ଆରୋଗ୍ୟ ହୋଇ ଆସୁଥିବା ସମୟର ତିନି ଚାରିଦିନ ଭିତରେ ଏହି ରୋଗର ଲକ୍ଷଣ ଦେଖା ଦେଇଥାଏ । ପିଲାଟିର ଶରୀରରୁ ସୁଗାର ସ୍ତର ଅଚାନକ ହ୍ରାସ ପାଇବା ଆରମ୍ଭ କରେ ଏପରିକି ରକ୍ତରେ ଏସିଡିଟି ଓ ଆମୋନିଆ ମାତ୍ରା ବଢ଼ିବା ସହ ମେଦବହୁଳତା ବଢ଼ିଯାଏ । ଯାହାଦ୍ୱାରା ମସ୍ତିଷ୍କ ଫୁଲିବା ସହ ଲିଭର ଉପରେ ଏହା ପ୍ରଭାବ ପକାଏ । ଯାହାକି ପରେ ଫ୍ୟାଟି ଲିଭରରେ ବାଉଳି ଚାଉଳି ହେବାସହ ବାନ୍ତି ଦେଖାଯାଏ । କେତେକ ରୂପାନ୍ତରିତ ଥାଏ । ଏହି ସମୟରେ ପିଲାଟି କ୍ଷେତ୍ରରେ ବାତ ହେଲାଭଳି ଲକ୍ଷଣ ଦେଖାଦିଏ । ପିଲାଟିର ଖାଇବାକୁ କମ କିମ୍ବା ପିଇବାକୁ ଆଦୌ ଇଛା ହୁଏନାହିଁ । ତାକୁ ସବୁ ଖାଦ୍ୟ ପଦାର୍ଥ ବିରକ୍ତିକର ଲାଗେ । ଏବଂ ପିଲାଟି ଦିନକୁ ଦିନ ଦୁର୍ବଳ ହୋଇପଡ଼ିବା ସହ ତାକୁ ଅସ୍ୱସ୍ତିକର ଲାଗେ । ଭୋକ ଲାଗେ କିନ୍ତୁ ଖାଦ୍ୟ ଦେଖିଲେ ଅରୁଚିକର ହୋଇଥାଏ । କେତେକ କ୍ଷେତ୍ରରେ ପିଲାମାନଙ୍କର ମୁଣ୍ଡ ବୁଲାଇବା ଲକ୍ଷଣ ମଧ୍ୟ ଦେଖାଦିଏ । ତେବେ ପେଟ ଯନ୍ତ୍ରଣା ଦେଖାଦିଏ ଏବଂ ପେଟ ଫୁଲିବା କାରଣରୁ

ପିଲାଟି ଉଦର ଜନିତ ଅସ୍ୱସ୍ତିକର ଅନୁଭବ କରେ । ଝାଡ଼ା ପରିସ୍ରାର କୌଣସି ସଠିକତା ନ ଥାଏ ।

ରେଇ ସିଣ୍ଡୋମକୁ ନେଇ ଅଭିଭାବକମାନେ ଡରିବାର କୌଣସି କାରଣ ନାହିଁ । କାରଣ ଏହା ଏକ ଘାତକ ବା ମାରାତ୍ମକ ରୋଗ ନୁହଁ । ଅସଲ କଥା ହେଉଛି ପ୍ରାଥମିକ ସମୟରୁ ଅଭିଭାବକମାନେ ଉଚିତ ପରୀକ୍ଷା ନିରୀକ୍ଷା କରି ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ଆରମ୍ଭ କଲେ ଏହା ଆରୋଗ୍ୟ ହୋଇପାରିବ । ଏହା ଏକ ସଂକ୍ରାମକ ବା ବ୍ୟାପିବାପରି ରୋଗ ନୁହେଁ । ପ୍ରଥମ ଅବସ୍ଥାରୁ ଭାଇରାଲ ଜ୍ୱର ବା ପିଲା ପିଲାଟିର ଇନଫ୍ଲୁଏଞ୍ଜା ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ସେହିପରି ଜ୍ୱର ହେଲେ ଅନେକ ଅଭିଭାବକ ପିଲାମାନଙ୍କୁ ବିନା ଡାକ୍ତରୀ ପରାମର୍ଶରେ ଆଇସ୍କ୍ରିମ୍ ଖାଇବାକୁ ଦେଇଥାନ୍ତି ତେବେ କେତେକ କ୍ଷେତ୍ରରେ ଲିଭରକୁ ନଷ୍ଟ କରି ମସ୍ତିଷ୍କକୁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଦେଖାଦେଇ ଥାଏ । ତେଣୁ ପିଲାମାନଙ୍କୁ ଥଣ୍ଡାଜ୍ୱର ହେଲେ ସର୍ବପ୍ରଥମେ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ ରକ୍ତ ପରୀକ୍ଷା କରିବା ପରେ ଚିକିତ୍ସା ଆରମ୍ଭ କରନ୍ତୁ । ସେହିପରି ଭାଇରାଲ ଫିଭର ପିଲାଟିକୁ ହୋଇଥିଲେ, ତା’ର କୌଣସି ପେଟ ସମସ୍ୟା ରହୁଥୁଲେ କିମ୍ବା ଅସ୍ୱସ୍ତିକର ଲାଗୁଥିଲେ ବା ମୁଣ୍ଡ ବିନ୍ଧା ରହୁଥିଲେ ଏହାକୁ ହାଲକା ଭାବି ମନଇଚ୍ଛା ଚିକିତ୍ସା କରନ୍ତୁ ନାହିଁ । ପିଲାଟି ପାଇଁ ଏକ ଭଲ ରୁଟିନଟିଏ ତିଆରି କରନ୍ତୁ । ସ୍ୱାଭାବିକ ଭାବେ ଖରାଦିନ ଏବଂ ପରୀକ୍ଷା ସମୟ ଚାଲିଥିବାରୁ ପ୍ରାୟତଃ ଅଧିକାଂଶ ପିଲା ସାମାନ୍ୟ ଚାପଗ୍ରସ୍ତ ଥାନ୍ତି । ତେଣୁ ଏ ସମୟରେ ସେମାନଙ୍କ ପାଇଁ ଏହି ସମୟ ବିପଦର କାରଣ ମଧ୍ୟ ହୋଇଥାଏ । ଖରାଦିନ କାରଣରୁ ପିଲାଙ୍କୁ ଫ୍ରିଜ୍‌ର ଖାଦ୍ୟ ବା ଥଣ୍ଡା ପାନୀୟ ଅଭ୍ୟାସ କରନ୍ତୁ ନାହିଁ । ପ୍ରାକୃତିକ ଉପାୟରେ ଫୁଟା ଯାଇଥିବା ପାଣି ବହୁତ୍ ଭଲ । ସୁଷମ ଖାଦ୍ୟ ଦିଅନ୍ତୁ, ଘରୋଇ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ । ସବୁଜ ପନିପରିବା, ତଟକା ଫଳ ଖାଇବାକୁ ଦିଅନ୍ତୁ । ଆମିଷ ଖାଉଥିଲେ ଦେଶୀ ମାଛ ବା ଦେଶୀ ଅଣ୍ଡା ଦେଇପାରିବେ । ତେବେ ପିଲାମାନଙ୍କୁ ଯୋଗ ପ୍ରାଣାୟମ ଅଭ୍ୟାସ କରାଇବା ଖୁବ ଭଲ କଥା କିନ୍ତୁ ଜ୍ୱର ସମୟରେ ଏସବୁ କରାନ୍ତୁ ନାହିଁ । ପ୍ରାୟ ଖରାଦିନେ ପରୀକ୍ଷା ସମୟ ଥିବାରୁ ପିଲାଟିକୁ କୌଣସି ପାଠପଢ଼ା ଜନିତ ବା ଅନ୍ୟ କାରଣ ପାଇଁ ତାଗିଦ୍ କରି ତାଙ୍କୁ ମାନସିକ ଚାପ ଦିଅନ୍ତୁ ନାହିଁ । ବାହାର ଖାଇବା ବା ଫାଷ୍ଟଫୁଡ ଖାଦ୍ୟ ଠାରୁ ଦୂରେଇବା ବହୁତ ଭଲ । ରେଇ ସିଣ୍ଡ୍ରୋମ ସେପରି ଏକ ଜଟିଳ ବା ବଡ଼ ରୋଗ ନୁହେଁ ଏହାକୁ ପ୍ରାଥମିକ ଅବସ୍ଥାରେ ସଠିକ ଚିକିତ୍ସା କରି ବିଶେଷଜ୍ଞଙ୍କ ପରାମର୍ଶ ନେଇଚାଲିଲେ ପିଲାଟି ପାଇଁ କୌଣସି ସମସ୍ୟା ହେବନାହିଁ । କିନ୍ତୁ ଗୋଟିଏ ଗୁରୁତ୍ୱପୂର୍ଣ କଥା ମନେରଖନ୍ତୁ ଗୁଣି ଗାରେଡ଼ି ବା ଦେଶୀୟ ଚିକିତ୍ସାକୁ ଆଦୌ ଗୁରୁତ୍ୱ ଦିଅନ୍ତୁ ନାହିଁ କିମ୍ବା ପ୍ରୋତ୍ସାହନ ଦିଅନ୍ତୁ ନାହିଁ ଏସବୁ ଆପଣଙ୍କ ପିଲାଟି ପାଇଁ ବଡ଼ ସମସ୍ୟା ଓ ବିପଦର କାରଣ ହୋଇପାରେ ।

Flip Book Link:

Related Post