Latest News

କାଞ୍ଚି ବିଜୟର ପ୍ରତିଶୋଧ ନୁହେଁ ତ !

ନେତାଜୀ ତାପସ କୁମାର ସାହୁ 08/01/2024ସାଂପ୍ରତିକୀ

 ନିଜକୁ ଫୁଡ୍ ବ୍ଳଗର କହିବା ସହ ଭାରତର ତୀର୍ଥସ୍ଥାନକୁ ପ୍ରଚାର ପ୍ରସାର କରୁଥିବା କାମିୟା ଜାନି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଣିଥିଲେ ଶ୍ରୀମନ୍ଦିରର ଐତିହ୍ୟ ପ୍ରକଳ୍ପ ଓ ମହାପ୍ରସାଦର ପ୍ରଚାର ଓ ପ୍ରସାର ନିମନ୍ତେ । ପାଣ୍ଡିଆନ୍ କାମିୟାଙ୍କୁ କହୁଛନ୍ତି ମହାପ୍ରସାଦକୁ ଚାଖି କୁହନ୍ତୁ କେମିତି ଲାଗୁଛି । ତେବେ ଏଠି ପ୍ରଶ୍ନ ଉଠୁଛି ମହାପ୍ରସାଦ କ’ଣ ହୋଟେଲର ରନ୍ଧା ଖାଦ୍ୟ? ଯେଉଁଠି ଯୁଗ ଯୁଗ ଧରି ସେବାୟତମାନେ ଅଗ୍ନି ଦେବତାଙ୍କ ଉଦ୍ଦେଶ୍ୟରେ ଯଜ୍ଞ ପୂଜା କରିବା ପରେ ଷାଠିଏ ପଉଟି ଭୋଗକୁ ମହାଲକ୍ଷ୍ମୀ ଦୈନିକ ପ୍ରସ୍ତୁତ କରିଥାନ୍ତି ଏବଂ ମାଆ ବିମଳାଙ୍କ ନିକଟରେ ଏହି ପ୍ରସାଦ ଲାଗି ହେବା ପରେ ହିଁ ମହାପ୍ରସାଦ ହୋଇଥାଏ । କ’ଣ ଆଜିଯାଏ କେହି ମହାପ୍ରସାଦର ସ୍ୱାଦ ଜାଣିନଥିଲେ କି? କ’ଣ ବିଧର୍ମୀ କାମିୟା ହିଁ କହିଲେ ମହାପ୍ରସାଦର ବହୁଳ ପ୍ରଚାର ହେବ ନା ଭକ୍ତ କାମିୟାଙ୍କୁ ଦେଖି ଅଧିକ ଆସି ମହାପ୍ରସାଦ ସେବନ କରିବେ? କ’ଣ ଓଡ଼ିଆ ଲୋକ ମହାପ୍ରସାଦ ବିଷୟରେ ଅଜ୍ଞ କି?

ମହାପ୍ରସାଦ ସମ୍ୱନ୍ଧରେ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣରେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ କହିଛନ୍ତି -
“ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆ ଖୋଇ ହେବେ ।
 ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ ।
ହାଡ଼ିର ହସ୍ତୁ ବ୍ରାହ୍ମଣେ ଛଡାଇ ଖାଇବେ ।
ବ୍ରାହ୍ମଣେ ଖାଇ ହସ୍ତ ମୁଣ୍ଡରେ ପୋଛିବେ ।
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ ।
ତେବେ ବଡ ଦେଉଳକୁ ଯିବି ଜଗନ୍ନାଥ ।
ତେଣୁ ଲକ୍ଷ୍ମୀ ପୁରାଣ ଯେଉଁଠି ମହାପ୍ରସାଦ ସମ୍ୱନ୍ଧରେ ଉଲ୍ଲିଖିତ ରହିଛି, ସେଠାରେ ଜନତାଙ୍କ ଅର୍ଥରେ ନିଜର ଆତ୍ମ ପ୍ରଚାର କରିବା ପାଇଁ ସର୍ବଦା ତତ୍ପର ରହୁଥିବା ନବୀନ ସରକାରଙ୍କ ଏହା ଆଉ ଏକ ଧର୍ମ ବିରୋଧୀ କାର୍ଯ୍ୟ । ଯାହା ଉପରେ ଖୋଦ୍ ଭି. କେ ପାଣ୍ଡିଆନ୍ ମଧ୍ୟ ଚୁପ୍ ରହିଛନ୍ତି । 
ଦୀର୍ଘ ଦିନ ଧରି ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ନାମରେ ପୁରୀ ବାସିନ୍ଦା ଓ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଜଗନ୍ନାଥ ପ୍ରେମୀମାନେ ଯେଉଁ କଷ୍ଟ ଭୋଗୁଛନ୍ତି, ଏହା ପାଣ୍ଡିଆନ୍‌ଙ୍କ ରାଜା ପୁରୁଷୋତ୍ତମ ଦେବଙ୍କ ଉପରେ ରାଗ ସୁଝାଇବା ପରି ଲାଗେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ହେଉଛନ୍ତି ଗଜପତି । ତନ୍ମଧ୍ୟରୁ ଗଜପତି ପୁରୁଷୋତ୍ତମ ଦେବଙ୍କର ବୀରତ୍ୱ ଆଜି ବି ପ୍ରତିଟି ଓଡ଼ିଆ ମନରେ ଏ ଜାତି କେତେ ମହାନ ତାହା ଅଙ୍କିତ କରେ । କାଞ୍ଚି ରାଜା ସାଲ୍ୱ ନରସିଂହ ଦେବଙ୍କ ଝିଅ ପଦ୍ମାବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ଗଜପତି ପୁରୁଷୋତ୍ତମଦେବ ରଥଯାତ୍ରା ସମୟରେ ଛେରା ପହଁରା ନୀତି କରୁଥିବା ଦେଖି ତାଙ୍କୁ ଝାଡୁଦାର ବୋଲି କହିଥିଲେ କାଞ୍ଚି ରାଜା । ଜଗନ୍ନାଥଙ୍କ ସେବାକୁ ଏତାଦୃଶ ସମାଲୋଚନା ଓ ତାଚ୍ଛଲ୍ୟ ଦେଖି ପ୍ରତିଶୋଧ ନେବା ପାଇଁ କ୍ରୋଧିତ ହୋଇ ଉଠିଥିବା ପୁରୁଷୋତ୍ତମ ଦେବ ଓ କାଞ୍ଚି ଉପରେ ଆକ୍ରମଣ ମଧ୍ୟ କରିଥିଲେ । ମାତ୍ର କାଞ୍ଚି ସୈନିକ ତଥା ରାଜାଙ୍କ ଆରାଧ୍ୟ ଥିବା କାଞ୍ଚି ଗଣେଶଙ୍କ ପରାକ୍ରମ ଆଗରେ ଗଜପତି ପ୍ରଥମଥର ପରାସ୍ତ ହୋଇଥିଲେ । ଏହାପରେ ପୁନଃ ଜଗନ୍ନାଥଙ୍କୁ ପ୍ରାର୍ଥନା କରି କାଞ୍ଚି ଜିତିବା ପାଇଁ ଆଶୀର୍ବାଦ ନେବା ସହ ସ୍ୱୟଂ ବଳଭଦ୍ର ଓ ଜଗନ୍ନାଥ ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରିବେ ବୋଲି କହିଥିଲେ । ବାଟରେ ମାଣିକ ଗଉଡୁଣୀଠୁ ଦହି ପିଇ କଉଡି ବଦଳରେ ରତ୍ନମୁଦି ଦେଇଥିବା ଜଗନ୍ନାଥଙ୍କ କଥା ଜାଣି ବିଜୟ ସୁନିଶ୍ଚିତ ଭାବି ନିଜର ଦମ୍ଭ ବଢାଇଥିଲେ ଗଜପତି । ଏହାପରେ କାଞ୍ଚି ବିଜୟ କରିଥିଲେ ସୁଦ୍ଧା ସାଲ୍ୱ ନରସିଂହ ଦେବଙ୍କ ଝିଅ ପଦ୍ମାବତୀଙ୍କୁ ଦଣ୍ଡବିଧାନ ସ୍ୱରୂପ ଜଣେ ଝାଡୁଦାର ସହ ଆଗାମୀ ରଥଯାତ୍ରାରେ ବିବାହ କରିବା ପାଇଁ ଆଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପଦ୍ମାବତୀ

ଥଯାତ୍ରା ଦିନ ପୁରୁଷୋତ୍ତମ ଦେବ ଛେରାପହଁରା ନୀତି କରୁଥିବା ବେଳେ ତାଙ୍କ ଉପରେ ବରଣ ମାଳା ପକାଇ ବିବାହ କରିଥିଲେ । କାଞ୍ଚି ବିଜୟ ପରେ କାଞ୍ଚି ଗଣେଶ ଓ ଅନେକ ଧନ ରତ୍ନ ଆଣିଥିବା ଗଜପତି ସବୁକିଛି ମହାପ୍ରଭୁଙ୍କୁ ସମର୍ପିତ କରିଥିଲେ । କାରଣ ଏ ଜାତିର ସର୍ବସ୍ୱ ହେଉଛନ୍ତି ଶ୍ରୀଜଗନ୍ନାଥ । ଏ କଥା ଏବେର ଯୁବପିଢିମାନେ ଖୁବ କମ ଜାଣନ୍ତି, କାରଣ ତଥାକଥିତ ଇତିହାସକାର ମାନେ ଆମ ଓଡ଼ିଆ ରାଜାଙ୍କ ପରାକ୍ରମକୁ ଆମ ଇତିହାସ ବହିରେ ଗୋଟେ ବାକ୍ୟରୁ ଆରମ୍ଭ କରି ସର୍ବାଧିକ ଗୋଟିଏ ଅନୁଚ୍ଛେଦରେ ହିଁ ଶେଷ କରିଦିଅନ୍ତି । 

ତେବେ ଲୋକସେବା ଭବନରେ ହେଉ ଅବା ବିଭିନ୍ନ କାର୍ଯ୍ୟାଳୟରେ ଏହି କାଞ୍ଚି ବିଜୟ ଫଟୋ ଦେଖି ହୁଏତ ନିଜ ତାମିଲ ଅସ୍ମିତା ହାରିଯାଇଛି ବୋଲି ଅନୁଭବ କରିଥିବା ପାଣ୍ଡିଆନ୍ ଏବେ ଓଡ଼ିଆ ଅସ୍ମିତା ଉପରେ ଆକ୍ରମଣ କରିବା ଆରମ୍ଭ କରିଛନ୍ତି । ଲୋକସଭାରେ ବିଜୁ ଜନତା ଦଳର ନେତା ତଥା ପୁରୀ ସାଂସଦ ପିନାକୀ ମିଶ୍ର କହିଲେ ଶ୍ରୀମନ୍ଦିର ଚାରିପଟେ କେବଳ ଚାରିଟି ଶୌଚାଳୟ ନିର୍ମାଣ ହେଉଛି, ବାକି ସବୁ ବିରୋଧୀମାନେ ବିକାଶକୁ ବିରୋଧ କରିବା ସହିତ ମିଛ କହୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯଦି ଶୌଚାଳୟ ନିର୍ମାଣ ହେଉଛି ତେବେ ଦେବ ନିମନ୍ତ୍ରଣ କ’ଣ ପାଇଁ? ମହାକାଳ କରିଡର, କାଶୀ ବିଶ୍ୱନାଥ କରିଡର ଅବା ଅଯୋଧ୍ୟାର ଭବ୍ୟ ରାମମନ୍ଦିର ଉଦ୍‌ଘାଟନ ସହ ଏହି ଶ୍ରୀମନ୍ଦିର ପ୍ରକଳ୍ପର କ’ଣ ସମାନତା ରହିଛି ? ଶତାବ୍ଦୀ ଶତାବ୍ଦୀ ଧରି ଠିଆ ହୋଇଥିବା ରଘୁନନ୍ଦନ ପାଠାଗାର, ବଡ଼ଛତା ମଠ ଠାରୁ ନେଇ ବଗଲା ଧର୍ମଶାଳା ଯାଏଁ ଏବେ ସବୁକିଛି ଭୂଲୁଣ୍ଠିତ । ଯେଉଁସବୁ ପ୍ରତିଶ୍ରୁତି ରାଜ୍ୟ ସରକାର ପ୍ରକଳ୍ପ ଆରମ୍ଭ ବେଳେ ଦେଇଥିଲେ, ତାହା ଆଜି ପାଣିର ଗାର । ଛୋଟ ଛୋଟ ଦୋକାନୀ ଆଜି ସର୍ବହରା । ରତ୍ନଭଣ୍ଡାର ସୁରକ୍ଷା, ନୀତିକାନ୍ତି ସମ୍ପାଦନରେ ଚରମ ଅବହେଳା ଦେଖିବାକୁ ମିଳୁଥିବା ବେଳେ ଏବେ ପ୍ରଥମେ ସିଂହଦ୍ୱାର ଉପରେ ପତିତପାବନଙ୍କ ଉପରେ ଥିବା ଦଶାବତାର ମୂର୍ତ୍ତି ଉଭାନ୍ । 
ସେହିପରି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଦୀର୍ଘ ଦାବି ପରେ ସରକାରଙ୍କ ନଜରକୁ ଆସିଥିଲା । ଏହାପରେ ସରକାର ଏବେ ଶୀତତାପ ନିୟନ୍ତ୍ରିତ ଟନେଲ ନିର୍ମାଣ ଆରମ୍ଭ କରିଛନ୍ତି । ତେବେ ରଥଯାତ୍ରା ସମୟରେ ଏହି ଧାଡ଼ି ଦର୍ଶନ ନିମନ୍ତେ ଉଦ୍ଦିଷ୍ଟ ବ୍ୟାରିକେଟ ଓ ଫୁଲ କୁଣ୍ଡ ସ୍ଥାନାନ୍ତରିତ ହେଲା ପରି ଏହି ଏସି ଟନେଲ ମଧ୍ୟ ସ୍ଥାନାନ୍ତରିତ କରାଯିବ । ଅନ୍ୟଥା ରଥ ବଡଦାଣ୍ଡରେ ଗଡି ପାରିବ ନାହିଁ । ତେଣୁ ପ୍ରଶ୍ନ ଉଠୁଛି ଏହି ଉଠା ପକା ଭଙ୍ଗା ନିର୍ମାଣ ପାଇଁ ଜନତାଙ୍କ ଅର୍ଥ ସ୍ୱାହା କରିବାକୁ ରାଜ୍ୟ ସରକାରଙ୍କୁ ଅଧିକାର ଦେଲା କିଏ? କ’ଣ ନିରଙ୍କୁଶ ଶାସନ ଓ ପୂର୍ଣ୍ଣ ବହୁମତ ଦେଇଥିବା ଓଡିଶାବାସୀଙ୍କ ସହ ପ୍ରତାରଣା ଓ ପୀଡା ଦେଇ କେଉଁ ଖୁସି ପାଉଛନ୍ତି ସେମାନେ? କ’ଣ ଜଗନ୍ନାଥ କେବଳ ଭିଆଇପିମାନଙ୍କର ଠାକୁର ଯେଉଁମାନେ ପାସ ବଳରେ ସିଧାସଳଖ ଦର୍ଶନ କରିବାର ସୁଯୋଗ ପାଇବେ ଓ ଅନ୍ୟମାନେ କଷ୍ଟ ଭୋଗିବେ? ଏହା କ’ଣ ମୋ ସରକାର ସାଧାରଣ ଜନତାଙ୍କୁ ସମର୍ପିତ ୫-ଟିର ଅସଲ ପରିଚୟ? ହିନ୍ଦୁ ଓ ଓଡ଼ିଆଙ୍କ ଭାବାବେଗ ସହିତ ଖେଳୁଥିବା ଧର୍ମନିରପେକ୍ଷତାର କଥା କହୁଥିବା ନବୀନ ସରକାର କୌଣସି ମସ୍‌ଜିଦ ଓ ଗୀର୍ଜା ଚାରିପଟେ ଏପରି ଉଚ୍ଛେଦ କରି ପ୍ରକଳ୍ପ କରିପାରିବେ କି? ଯଦି ନୁହଁ ତେବେ ପିନାକୀ ମିଶ୍ର ପୁରୀକୁ ଭାଟିକାନ୍ କରିବା କଥା କହିବା ସନାତନ ଧର୍ମ ଓ ବିଶ୍ୱ ଆଧ୍ୟାତ୍ମିକ କେନ୍ଦ୍ର ବିନ୍ଦୁ ପୁରୀର ଅସ୍ମିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁ ତ ?
ତେଣୁ ଶେଷରେ କୁହାଯାଇପାରେ ନିଜକୁ ଇତିହାସରେ ସାମିଲ କରିବା ପାଇଁ ଭୂଗୋଳ ବଦଳାଇ ଆତ୍ମ ପ୍ରଚାର କରୁଥିବା ଲୋକକୁ ହୁଏତ ସାହିତ୍ୟର କିଛି ଶବ୍ଦ ସଜାଇ ଦେଇପାରେ, କିନ୍ତୁ ସଂସ୍କୃତି କେବେ ବି କ୍ଷମା ଦେବ ନାହିଁ ।

Flip Book Link: https://demo.rastradeep.com/flip.aspx?fid=208

Related Post