Latest News

ସାଉଁଟା କାଣ୍ଡର କାହାଣୀ

ବିପିନ ବିହାରୀ ମହାନ୍ତି 04/03/2024ଜାତୀୟ

ସଂପ୍ରତି ଜାତୀୟ ରାଜନୀତିରେ ଏକ ବିରାଟ ଓଲଟ ପାଲଟ ଦେଖିବାକୁ ମିଳିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିମେଣ୍ଟରୁ ମୋହ ତ୍ୟାଗ କରି ପୁନର୍ବାର ଏନ୍‌.ଡି.ଏକୁ ଫେରିଛନ୍ତି । ତତ୍‌ସଙ୍ଗେ ସଙ୍ଗେ ବିଜେପି ସମର୍ଥନରେ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଅବଶ୍ୟ ଜାତୀୟ ରାଜନୀତି ତଥା ବିହାର ରାଜନୀତି ପାଇଁ ଏପରି ଘଟଣା ନୂଆ ନୁହେଁ । କିନ୍ତୁ ଯେହେତୁ ନିର୍ବାଚନ ଆଉ ଅଳ୍ପଦିନ ବାକି ଅଛି, ସେଇ ଦୃଷ୍ଟିରୁ ଦେଖିଲେ ନୀତିଶ୍ କୁମାରଙ୍କ ଇଣ୍ଡିମେଣ୍ଟ ପରିତ୍ୟାଗ ପ୍ରସଙ୍ଗ ଜାତୀୟ ରାଜନୀତିକୁ ପ୍ରଭାବିତ କରିଛି । ପୁନଶ୍ଚ ଇଣ୍ଡିମେଣ୍ଟର ପ୍ରଥମ ବୈଠକ ନୀତିଶ୍‌ଙ୍କ ପୃଷ୍ଠପୋଷକତାରେ ବିହାରରେ ଅନୁଷ୍ଠିତ ହୋଇଥିଲା । କେବଳ ବିହାରରେ ହୋଇଥିବା ବୈଠକ ପାଇଁ ଯେ ନୀତିଶ ସକ୍ରିୟ ଥିଲେ ତାହା ନୁହେଁ;  ବରଂ ସମଗ୍ର ଜାତୀୟ ସ୍ତରରେ ଇଣ୍ଡିମେଣ୍ଟର ସଂପ୍ରସାରଣ ତଥା ସମର୍ଥନ ଯୋଗାଡ଼ରେ ତାଙ୍କର ବଳିଷ୍ଠ ଭୂମିକା ଥିଲା । ଜାତୀୟସ୍ତରର ଜଣେ ଅନୁଭବୀ ତଥା ଅଭିଜ୍ଞ ନେତା ଭାବରେ ନୀତିଶ୍‌ଙ୍କୁ ମଧ୍ୟ ଇଣ୍ଡିମେଣ୍ଟର ସଦଦ୍ୟ ଦଳର ନେତାମାନେ ଗ୍ରହଣ କରୁଥିଲେ । ହଠାତ୍ ନୀତିଶ୍ କୁମାର ନିଜଦ୍ୱାରା ଗଠିତ ତଥା ସଂପ୍ରସାରିତ ଇଣ୍ଡିମେଣ୍ଟରୁ ନିଜକୁ ଓହରାଇ ନେବା ଇଣ୍ଡିମେଣ୍ଟର ସଦସ୍ୟ ଦଳମାନଙ୍କୁ ଚିନ୍ତାରେ ପକାଇଛି । ରାଜନୈତିକ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲ ପର୍ଯ୍ୟନ୍ତ ସବୁଠି ଗୋଟିଏ ପ୍ରଶ୍ନ ଯେ ଅଳ୍ପ କେଇଦିନ ତଳେ ମୋଦୀଙ୍କ ବିକଳ୍ପ ହେବାକୁ ଗଠିତ ହୋଇଥିବା ଇଣ୍ଡିମେଣ୍ଟର ସକ୍ରିୟ ନେତା ନୀତିଶ କୁମାରଙ୍କ ଏପରି ନିଷ୍ପତ୍ତି ପଛର କାରଣ କ’ଣ ?
ହିନ୍ଦୀଭାଷୀ କ୍ଷେତ୍ର ହିସାବରେ ଜାତୀୟ ରାଜନୀତିରେ ବିହାରର ସ୍ଥାନ ସ୍ୱତନ୍ତ୍ର ଏବଂ ବିଜେପି ପାଇଁ ମଧ୍ୟ ହିନ୍ଦୀ ଭାଷୀ କ୍ଷେତ୍ର ଭାତହାଣ୍ଡି ସଦୃଶ । ତେଣୁ ବିଜେପିକୁ ରୋକିବାକୁ ହେଲେ ହିନ୍ଦୀ ଭାଷୀ କ୍ଷେତ୍ର ଉପରେ ଅଧିକ ଜୋର୍ ଦେବାକୁ ବିରୋଧୀମାନେ ବିଚାର କରୁଥିଲେ । ସମଗ୍ର ହିନ୍ଦୀ ଭାଷୀ କ୍ଷେତ୍ର ମଧ୍ୟରେ ବିହାର ହେଉଛି ଏପରି ଏକ ରାଜ୍ୟ ଯେଉଁଠି ବିଜେପି ନିଜର ପତିଆରା ଜମାଇବା ପାଇଁ ଦିର୍ଘ ଦୁଇ ଦଶନ୍ଧି ହେଲା ସଂଘର୍ଷ କରୁଛି । ଏହାକୁ ସଦାସର୍ବଦା ଜେଡ଼ିୟୁୁ ଏବଂ ନୀତିଶ୍ କୁମାରଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ଯେତେବେଳେ ନୀତିଶ୍ କୁମାର (୨୦୧୪ପୂର୍ବରୁ) ଏନ୍‌.ଡ଼ି.ଏରେ ଥିଲେ ସେତେବେଳେ ମଧ୍ୟ ବିଜେପି କୁ ମୁଖ୍ୟମନ୍ତ୍ରୀ ପଦବୀ ମିଳୁ ନ ଥିଲା ବା ନୀତିଶ୍‌ଙ୍କ ରାଜନୈତିକ ମୂଲଚାଲ ପାଖରେ ବିଜେପି ସାଲିସ୍‌ଯୁକ୍ତ ପନ୍ଥା ଆପଣାଇ ଥିଲା । ଏପରିକି ଗତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ବିଜେପି - ଜେଡ଼ିୟୁ ମେଣ୍ଟରେ ବିଜେପି ଅଧିକ ଆସନ ହାସଲ କରି ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀ ହାତେଇ ପାରି ନ ଥିଲା ।  ଏପରିକି ସରକାର ମଧ୍ୟ ବଞ୍ଚେଇ ପାରି ନ ଥିଲା । କାରଣ ନୀତିଶ୍ ବିଜେପି ସହିତ ସମ୍ପର୍କ ତୁଟାଇ ଆର୍‌.ଜେ.ଡ଼ି. ସହିତ ହାତ ମିଳାଇ ଥିଲେ । ଏହି ଦୃଷ୍ଟିରୁ ଦେଖିଲେ ବିହାରରେ ବିଜେପିର ମଜଭୁତ୍ ଜନାଧାର ଥିବା ସତ୍ତ୍ୱେ କେଉଁଠି ନା କେଉଁଠି ରାଜନୈତିକ ବାଧ୍ୟବାଧକତା ଯୋଗୁଁ ଏହି ହିନ୍ଦୀ ଭାଷୀ କ୍ଷେତ୍ର ବିଜେପି ପାଇଁ ସଦାସର୍ବଦା ଏକ କଣ୍ଟକିତ ପଥ ହୋଇ ଆସିଛି । ବୋଧ ହୁଏ ବିରୋଧୀମାନେ (ଇଣ୍ଡିମେଣ୍ଟ) ଏହି କଣ୍ଟକିତ ପଥକୁ ଆହୁରି ପ୍ରସ୍ତତ ତଥା ଲମ୍ବିତ କରିବା ଉଦ୍ଦେଶ୍ୟରେ ନୀତିଶ୍ କୁମାରଙ୍କୁ ଅଧିକ ଗୁରୁତ୍ୱ ତଥା ଦାୟିତ୍ୱ ଦେଇ ଆସିଛନ୍ତି । କାରଣ ଗତ ଏକ ଦଶନ୍ଧି ମଧ୍ୟରେ ବାରମ୍ବାର ସରକାର ପରିବର୍ତ୍ତନ ହୋଇଛି । କ୍ରମାନ୍ୱୟରେ ବିଜେପି ଏବଂ ଆର୍‌.ଜେ.ଡ଼ି. କ୍ଷମତାକୁ ଫେରିଛନ୍ତି ବା କ୍ଷମତାଚ୍ୟୁତ ହୋଇଛନ୍ତି । କିନ୍ତୁ ନୀତିଶ୍ କୁମାର ହିଁ ମୁଖ୍ୟମନ୍ତ୍ରୀ ରହିଛନ୍ତି,  ରାଜନୌତିକ ସଙ୍କଟ ବିଜେପିକୁ ବା ଆର୍‌.ଜେ.ଡ଼ିକୁ ପ୍ରଭାବିତ କରିଛି ସିନା ନୀତିଶ୍ କୁମାରଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସାମାନ୍ୟ ପ୍ରଭାବିତ କରିିବାକୁ ସକ୍ଷମ ହୋଇନାହିଁ । ନୀତିଶ୍‌ଙ୍କ ଜନାଧାର ଦିନକୁ ଦିନ କମୁଥିବା ସତ୍ତ୍ୱେ ତାଙ୍କର ରାଜନୈତିକ ଚାତୁର୍ଯ୍ୟତା ଏବଂ ରାଜନୈତିକ ମୂଲଚାଲ କ୍ଷମତା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଜାତୀୟ ରାଜନୀତି ତଥା ବିହାର ରାଜନୀତିରେ ସକ୍ରିୟ ଥିବା ସମସ୍ତ ଦଳ ଏସବୁ ଜାଣି ସୁଦ୍ଧା ଏପର୍ଯ୍ୟନ୍ତ ନୀତିଶଙ୍କ ଏହି କ୍ଷମତାର ରହସ୍ୟ ଭେଦ କରିବାକୁ ସକ୍ଷମ ହୋଇ ନାହାନ୍ତି । କିନ୍ତୁ ଏହା ଚର୍ଚ୍ଚିତ ପ୍ରସଙ୍ଗ ନୁହେଁ, ଚର୍ଚ୍ଚିତ ପ୍ରସଙ୍ଗ  ହେଉଛି ଯଦି ସେ ଏଠି ମୁଖ୍ୟମନ୍ତ୍ରୀ ଅଛନ୍ତି(ଘଊଇରେ) ସେଠି ମଧ୍ୟ  (ଇଣ୍ଡିମେଣ୍ଟରେ) ମୁଖ୍ୟମନ୍ତ୍ରୀ ଥିଲେ ତାହେଲେ କାହିଁକି ସେ ଇଣ୍ଡିମେଣ୍ଟ ତ୍ୟାଗ କଲେ । ଏହାକ’ଣ କେବଳ ନୀତିଶ୍ କୁମାରଙ୍କ ନିଷ୍ପତ୍ତି ନା ଏହି ନିଷ୍ପତ୍ତି ପଛରେ ଇଣ୍ଡିମେଣ୍ଟର ଅନାନ୍ୟ ରାଜନୈତିକ ଦଳମାନଙ୍କର ସହମତି ଅଛି ? କେବଳ ନୀତିଶ୍ କୁମାର ଇଣ୍ଡିମେଣ୍ଟ ପରିତ୍ୟାଗ କଲେ ନା ଆଗାମୀ ଦିନରେ ଅନ୍ୟଦଳମାନେ ନୀତିଶଙ୍କ ପଦାଙ୍କ ଅନୁସରଣ କରିବେ ?
ତୃଣମୂଳ କଂଗ୍ରେସ ଏବଂ ଏହାର ନେତ୍ରୀ ସୁଶ୍ରୀ ମମତା ବାନାର୍ଜୀ ମୋଦୀ ବିରୋଧୀ ତଥା ଇଣ୍ଡିମେଣ୍ଟର ଏକ ସକ୍ରିୟ ସଦସ୍ୟା ଭାବରେ ଜଣାଶୁଣା । ପଶ୍ଚିମବଙ୍ଗ ମଧ୍ୟ - ପୂର୍ବ ଭାରତ ରାଜନୀତିରେ ବା ଜାତୀୟ ରାଜନୀତିରେ ଏକ ପ୍ରଭାବଶାଳୀ ରାଜ୍ୟ । ଯେହେତୁ ଏହାର ସଂସଦୀୟ ଆସନ ସଂଖ୍ୟା ୪୨, ମମତା ବାନାର୍ଜୀ ମଧ୍ୟ ଲଗାତାର ତିନଥର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇ ସାରିଲେଣି । ତାଙ୍କର ରାଜନୈତିକ ପୃଷ୍ଠଭୂମି ହେଲା ସେ ଜାତୀୟ ସ୍ତରରେ କଂଗ୍ରେସ ବିରୋଧୀ ଏବଂ ନିଜ ରାଜ୍ୟରେ ବାମପନ୍ଥୀଙ୍କ ବିରୋଧୀ । କଂଗ୍ରେସରୁ ଅଲଗା ହୋଇ ସେ ତୃଣମୂଳ କଂଗ୍ରେସ ଗଠନ କରିଥିଲେ । ଏବଂ ନିଜ ରାଜ୍ୟରେ ବାମପନ୍ଥୀଙ୍କ ସହିତ ଦୀର୍ଘ ଦିନର ରାଜନୈତିକ ସଂଘର୍ଷପରେ ସେ କ୍ଷମତାସୀନ ହୋଇଥିଲେ । ଅର୍ଥାତ୍ ତାଙ୍କର ଜନାଧାର ହେଉଛି କଂଗ୍ରେସ ବିରୋଧୀ ଏବଂ ବାମପନ୍ଥୀ ବିରୋଧୀ । କିନ୍ତୁ ଇଣ୍ଡିମେଣ୍ଟରେ ଏହି ଦୁଇଟି ଦଳ ଅଛନ୍ତି ।  ମମତାଙ୍କ ଯୁକ୍ତି ହେଲା ସେ ପଶ୍ଚିମବଙ୍ଗରେ ସବୁ ଆସନରେ ପ୍ରାର୍ଥୀ ଦେବେ । ଗୋଟିଏ ହେଲେ ଆସନ ସେ କଂଗ୍ରେସ କିମ୍ବା ବାମପନ୍ଥୀଙ୍କୁ ଦେବେ ନାହିଁ । ଏହାର କାରଣ ହେଲା ଯେଉଁ ଦୁଇ ଦଳକୁ ଦିନେ ସେ ବିରୋଧ କରି ନିଜର ରାଜନୈତିକ ଭିତ୍ତିଭୂମି ନିର୍ମାଣ କରିଥିଲେ ସେଇ ଦୁଇ ଦଳ ସହିତ ମିଶି ନିର୍ବାଚନ ଲଢ଼ିଲେ ନିଜର ରାଜନୈତିକ ଭିତ୍ତିଭୂମି ପ୍ରଭାବିତ ହେବାର ଆଶଙ୍କା ରହିଛି । ପୁନଶ୍ଚ  ଯେଉଁ ଦଳ ବିରୋଧରେ ଦିନେ ଭୋଟ ଦେବାପାଇଁ ସେ ବଙ୍ଗବାସୀମାନଙ୍କୁ ନିବେଦନ କରୁଥିଲେ ସେଇ

ଳକୁ ଭୋଟ ଦେବାପାଇଁ ସେ କେମିତି କହିବେ ? ପୁନଶ୍ଚ ଯେଉଁ ଦୁଇଟି ଦଳ ପଶ୍ଚିମ ବଙ୍ଗ ରାଜନୀତିରେ ନିଜର ଭିତ୍ତିଭୂମି (କଂଗ୍ରେସ ଏବଂ ବାମପନ୍ଥୀ)ହରାଇ ସାରିଛନ୍ତି । ତାଙ୍କ ସହିତ ମେଣ୍ଟ କରି ତାଙ୍କୁ କାହିଁକି ସକ୍ରିୟ କରିବେ । ତା’ଛଡ଼ା ବର୍ତ୍ତମାନ ମମତାଙ୍କ ପଶ୍ଚିମବଙ୍ଗ ରାଜନୀତି ବିଶେଷକରି ଦ୍ୱିଦଳୀୟ ରାଜନୀତିରେ ସିଧା ପରିଣତ ହୋଇିଛି (ବିଜେପି ଏବଂ ତୃଣମୂଳ) । ବର୍ତ୍ତମାନ ମମତାଙ୍କ ସିଧା ମୁକାବିଲା ବିଜେପି ସହିତ । ପଶ୍ଚିମବଙ୍ଗର ଭୋଟର ମଧ୍ୟ ଦୁଇଟି ପସନ୍ଦରେ ଭୋଟିଂ କରୁଛନ୍ତି । ଗୋଟିଏ ହେଲା ବିଜେପି ଆଉ ଗୋଟିଏ ହେଲା ତୃଣମୂଳ । ଯିଏ ବିଜେପିକୁ ପସନ୍ଦ କରୁନାହିଁ ସେ ତୃଣମୂଳକୁ ଭୋଟ ଦେବ ଏବଂ ଯିଏ ତୃଣମୂଳକୁ ପସନ୍ଦ କରୁନାହିଁ ସେ ବିଜେପିକୁ ଭୋଟ ଦେବ । ଏହି ଧ୍ରୁବୀକରଣ ରାଜନୀତିରେ ମମତା ତୃତୀୟ ଦଳର ଉପସ୍ଥିତିକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି । ପୁନଶ୍ଚ ପଶ୍ଚିମବଙ୍ଗରେ ମମତାଙ୍କର କଂଗ୍ରେସ ନେତା ଅଧିର ରଞ୍ଜନଙ୍କ ସହିତ ସଦାସର୍ବଦା ବାଦ ବିବାଦ ଲାଗି ରହିଛି । ତେଣୁ ମମତା ଚାହୁଁ ନାହାନ୍ତି ଯେ ଇଣ୍ଡିମେଣ୍ଟରୁ ଫାଇଦା ଉଠାଇ କଂଗ୍ରେସ ପୁନଃ ସକ୍ରିୟ ହେଉ । ତେଣୁ ସେ କୌଣସି ଆସନ ଇଣ୍ଡିମେଣ୍ଟର ଦଳ କଂଗ୍ରେସ ଏବଂ
ବାମପନ୍ଥୀଙ୍କୁ ଦେବା ପାଇଁ ଇଚ୍ଛୁକ ନୁହନ୍ତି । ମମତା କେନ୍ଦ୍ର ରାଜନୀତିରେ ନିଜର ଦଳକୁ ପ୍ରଭାବଶାଳୀ ଭୂମିକାରେ ଦେଖିବାକୁ ଚାହାନ୍ତି   ତେଣୁ ସେ ଅନୁଭବ କରୁଛନ୍ତି ଯେ ସେ ଯେତେ ଅଧିକ ଆସନରେ ଲଢ଼ିବେ ସେତେ ଅଧିକ ଆସନ ଜିତିବାର ସମ୍ଭାବନା ରହିବ । ଏହି ପରିପ୍ରେକ୍ଷୀରେ ସେ ସବୁ ଆସନରେ ଲଢ଼ିବାକୁ ଚାହାନ୍ତି । ଯାହା ମେଣ୍ଟ ରାଜନୀତିର ପରିପନ୍ଥୀ । ଇଣ୍ଡିମେଣ୍ଟର ଆଉ ଗୋଟିଏ ପ୍ରଭାବଶାଳୀ ଦଳ ହେଲା ଆମ୍ ଆଦମୀ ପାର୍ଟି । ଏହାର ମୁଖ୍ୟ ହେଲେ କେଜ୍ରିୱାଲ୍ । ସେ ମଧ୍ୟ ଦିଲ୍ଲୀର ତିନିଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପୁନଶ୍ଚ ପଞ୍ଜାବରେ ତାଙ୍କ ଦଳ ମଧ୍ୟ କ୍ଷମତାସୀନ ଅଛି । ଦିଲ୍ଲୀ ଏବଂ ପଞ୍ଜାବରେ ଦଳ କଂଗ୍ରେସକୁ କ୍ଷମତାଚ୍ୟୁତ କରିଛି । ଏପରିକି ଆଗାମୀ ଦିନରେ ହରିୟାଣାରେ ମଧ୍ୟ ଦଳ ସରକାର ଗଢ଼ି ପାରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛି । ରାଜନୈତିକ ଆକଳନରୁ ଜଣାପଡୁଛି ଯେ ଯେଉଁଠି କଂଗ୍ରେସ ସକ୍ରିୟ ଅଛି ସେଠି ଆପ୍ ସହଜରେ ନିଜର ଉପସ୍ଥିତି ଜାହିର କରିପାରୁଛି । ଅର୍ଥାତ କଂଗ୍ରେସର ଭୋଟ ବ୍ୟାଙ୍କ୍ ଧୀରେ ଧୀରେ ଆପ୍ ଆଡ଼କୁ ଢ଼ଳୁଥିବାର ଲକ୍ଷ୍ୟ କରାଯାଇଛି । ତେଣୁ କେଜ୍ରିୱାଲ୍ ଏହାର ଫାଇଦା ନେବାକୁ ପ୍ରୟାସ କରୁଥିବାରୁ ଏକାକୀ ନିର୍ବାଚନ ଲଢ଼ୁଛନ୍ତି । ଇଣ୍ଡିମେଣ୍ଟରେ ଥାଇ ସୁଦ୍ଧା ସେ ପଞ୍ଜାବ ଏବଂ ହରିୟାଣାରେ ଗୋଟିଏ ଆସନ ମଧ୍ୟ କଂଗ୍ରେସକୁ ଦେବା ପାଇଁ ପ୍ରସ୍ତୁତ ନୁହନ୍ତି । ସେ ସବୁ ଆସନରେ ଏକାକୀ ଲଢ଼ିବାକୁ ପ୍ରୟାସରତ । ଅବଶ୍ୟ ଦିଲ୍ଲୀର ୭ଟି ସଂସଦୀୟ ଆସନରେ ସେ କଂଗ୍ରେସ ସହିତ ମେଣ୍ଟ କରିବାକୁ ଆଗ୍ରହୀ । କାରଣ ଏଠାରେ ବିଜେପି ୭ଟି ଯାକ ଆସନରେ ବିଜୟୀ ହୋଇଛି । ଦିଲ୍ଲୀ ବାସୀ ବିଧାନସଭା ନିର୍ବାଚନରେ ଆପ୍‌କୁ ସମର୍ଥନ କରୁଥିବାବେଳେ ସଂସଦୀୟ ନିର୍ବାଚନରେ ବିଜେପିକୁ ସମର୍ଥନ କରୁଛନ୍ତି । ତେଣୁ କେଜ୍ରିୱାଲ୍ ଚାହୁଁଛନ୍ତି ଦିଲ୍ଲୀର ୭ଟି ଆସନରୁ ଯେମିତି ହେଲେ ଗୋଟିଏ ଦୁଇଟି ଆସନ ଜିତିବା । ହେଲେ  ଆପ୍‌ର ଏହି ସୁବିଧାବାଦୀ ରାଜନୀତିରେ କଂଗ୍ରେସର ଅନେକ ନେତା ସହମତ ନୁହନ୍ତି । ଏହାଛଡ଼ା କେଜ୍ରିୱାଲ୍ ଜାଣନ୍ତି ସେ ଇଣ୍ଡିମେଣ୍ଟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି । କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କର ମହତ୍ୱକାଂକ୍ଷା ରହିଛି । ଏହି ପରିପ୍ରେକ୍ଷୀରେ ଦେଖିଲେ କେଜ୍ରିୱାଲ୍ ଅନ୍ୟକୁ ପ୍ରଧାନମନ୍ତ୍ରୀ କରିବାକୁ ଯାଇ ନିଜର ରାଜନୈତିକ ଭିତ୍ତିଭୂମିକୁ (କଂଗ୍ରେସ ବିରୋଧୀ) ଦୁର୍ବଳ କରିବାକୁ ଚାହିଁବେ ନାହିଁ ।
ମହାରାଷ୍ଟ୍ରରେ ଦୁଇଟି ଦଳ ଶିବସେନା ଏବଂ ଏନ୍‌.ସି.ପି ଇଣ୍ଡିମେଣ୍ଟର ସଦସ୍ୟ ଦଳ । କିନ୍ତୁ ଏହି ଦଳର ଦୁଇଗୋଷ୍ଠୀ ବିଜେପି ସହିତ ମହାରାଷ୍ଟ୍ରର ସରକାରରେ ଅଛନ୍ତି । ଏବଂ ଦୁଇଟି ଦଳକୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରକୃତ ଶିବସେନା ଏବଂ ପ୍ରକୃତ ଏନ୍‌.ସି.ପି ବୋଲି ଦର୍ଶାଇଛନ୍ତି ।  ଯଦିଓ ଦଳର ଦୁଇ ମୁଖିଆ ଶରଦ୍ ଫାୱାର ଏବଂ ଉଦ୍ଧବ ଠାକ୍‌ରେ ଇଣ୍ଡିମେଣ୍ଟକୁ ସମର୍ଥନ କରୁଛନ୍ତି, ତଥାପି ସେମାନେ ଦଳର ପ୍ରକୃତ ନେତା ନୁହନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ମତଦାତା କାହାକୁ ସର୍ମଥନ  କରିବେ  ଦ୍ୱିଧାରେ ରହିବେ । ଏବଂ ଦଳୀୟ ସଙ୍କେତକୁ ସମର୍ଥନ କରିବା ସଙ୍ଗେ ସଙ୍ଗେ  ନିଜ ଦଳ ସହିତ ରହିବେ । ତେଣୁ ମହାରାଷ୍ଟ୍ର ରାଜନୀତିରେ ଇଣ୍ଡିମେଣ୍ଟରେ କେବଳ ଦୁଇଟି ନେତା ଅଛନ୍ତି (ଶରଦ ଏବଂ ଉଦ୍ଧବ) କିନ୍ତୁ ତାଙ୍କର ଦଳ ନାହିଁ । ଉତ୍ତର ପ୍ରଦେଶ ହେଉଛି ୮୦ଟି ସଂସଦୀୟ ଆସନ ବିଶିଷ୍ଟ ରାଜ୍ୟ । ଯାହାକୁ ଦିଲ୍ଲୀ ରାଜନୀତିର ପ୍ରବେଶ ଦ୍ୱାର କୁହାଯାଏ । ଏହି ରାଜ୍ୟର ସମାଜବାଦୀ ଦଳ ଇଣ୍ଡିମେଣ୍ଟର ଅନ୍ୟ ଏକ ସଦସ୍ୟ । କିନ୍ତୁ ଏହାର ମୁଖିଆ ଅଖିଳେଶ ଯାଦବ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ସେ କଂଗ୍ରେସ ସହିତ ମେଣ୍ଟକରି ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିଲେ ତାଙ୍କର କେତେ କ୍ଷତି ହେବ କେତେ ଲାଭ ହେବ । ଏମିତି ଦେଖିଲେ ୟୁପି ରାଜନୀତିରେ କଂଗ୍ରେସ ହେଉଛି ଏବେ ପ୍ରଭାବହୀନ ଦଳ । ତେଣୁ ଏକ ପ୍ରଭାବହୀନ ଦଳକୁ ସହଯୋଗ କରି ଅଖିଳେଶ ପ୍ରଭାବଶାଳୀ କରିବାକୁ ଚାହୁଁ ନାହାନ୍ତି । ଯଦିଓ ଦୁଇ ଦଳ ଭିତରେ ଭଲ ସମ୍ପର୍କ ରହିଛି । ତଥାପି ଆସନ ବୁଝାମଣା ନେଇ ଆଗାମୀ ଦିନରେ ବିବାଦର ସୂତ୍ରପାତ ହୋଇପାରେ ବୋଲି ଅନୁମାନ କରାଯାଉଛି ।  
କେନ୍ଦ୍ରରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ୨୭ଟି ବିରୋଧୀଦଳ ମିଶି ଇଣ୍ଡିଆ ନାମରେ ମେଣ୍ଟ ଗଠନ କରି ଦେଶ ବାସୀଙ୍କ ଭାବାବେଗକୁ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲେ । ଏହି ମେଣ୍ଟରୁ ନୀତିଶ୍ କୁମାରଙ୍କ ପ୍ରସ୍ଥାନ ପରେ ସ୍ପଷ୍ଟ ହୋଇଛି ଯେ ଇଣ୍ଡିମେଣ୍ଟର ସଦସ୍ୟ ଦଳମାନେ ଅନିୟନ୍ତ୍ରିତ ଭାବାବେଗର  ଶିକାର ହୋଇ ଏକାଠି ହୋଇଥିଲେ । ଯେତେବେଳେ ଏହି ମେଣ୍ଟର ଭୂମିଗତ ବାସ୍ତବତା ସମ୍ପର୍କରେ ଅବଗତ ହେଲେ, ସେତେବେଳେ ସେମାନେ ଧୀରେ ଧୀରେ ମେଣ୍ଟରୁ ଓହରିବା ସଙ୍ଗେ ସଙ୍ଗେ ମେଣ୍ଟ ବିରୋଧୀ ବୟାନ ଦେବା ଆରମ୍ଭ କଲେଣି । ବିଳମ୍ବରେ ହେଲେ ମଧ୍ୟ ‘ସାଉଁଟା କାଣ୍ଡ’ ଯୁଦ୍ଧ ଯୋଗ୍ୟ ନୁହେଁ ଏକଥା ବିରୋଧୀମାନେ ଅନୁଭବ କରିଛନ୍ତି । ନୀତିଶଙ୍କ ଇଣ୍ଡିମେଣ୍ଟ ବିରୋଧୀ ଆଭିମୁଖ୍ୟର ସ୍ଥାୟିତ୍ୱ କେତେ ଏକଥା କୁହାଯାଇ ନ ପାରେ, କିନ୍ତୁ ଇଣ୍ଡିମେଣ୍ଟର ସ୍ଥାୟିତ୍ୱ ଯେ ସନ୍ଦେହ ଘେରରେ ଏକଥା ନିଃସନ୍ଦେହରେ କୁହାଯାଇପାରେ ।

Flip Book Link:

Related Post