Latest News

ମହାନ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦ

ସୌଭାଗ୍ୟ ପାଣିଗ୍ରାହୀ 11/03/2024ପୃଷ୍ଠଭୂମି

ସେଦିନ ଥିଲା ୧୯୩୧ ମସିହା ଫେବୃଆରୀ ୨୭ ତାରିଖ । ଆହ୍ଲାବାଦର ଆଲଫ୍ରେଡ଼ ପାର୍କକୁ ଚାରିକଡ଼ରୁ ଘେରିଗଲା ଦୁର୍ଦ୍ଦାନ୍ତ ବ୍ରିଟିଶ ପୁଲିସର ଏକ ଟିମ୍ । ବ୍ରିଟିଶ ବାହିନୀ ପାଖରେ ଖବର ଥିଲା ପାର୍କରେ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନର ପ୍ରତିଷ୍ଠାତା ତଥା ଭାରତୀୟ ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ଚନ୍ଦ୍ରଶେଖର ଆଜାଦ କାହାକୁ ଭେଟିବାକୁ ଆସିଛନ୍ତି । ସେ ସୂଚନା ଦେଇଥିଲେ ଜଣେ ବିଶ୍ୱାସ ଘାତକ ଓ ନିକଟବର୍ତ୍ତୀ ଲୋକ ଓ ବନ୍ଧୁ ବୀରଭଦ୍ର୍ର ତିୱାରୀ । ଚନ୍ଦ୍ରଶେଖରଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇ ସାରିଥିଲା । କିନ୍ତୁ ଏକାକୀ ଗୋଟେ ମାଉଜର ଧରି ବ୍ରିଟିଶ ବାହିନୀକୁ ସାମ୍ନା କରିବାର ବୀରତ୍ୱ ଦେଖାଇଲେ ଆଜାଦ । ପ୍ରାୟ ୩୦ ମିନିଟ ସେ ବ୍ରିଟିଶ ବାହିନୀକୁ ପ୍ରତିହତ କରିବା ପରେ ତାଙ୍କ ଶରୀର ଗୁଳିବିଦ୍ଧ ହୋଇ ସାରିଥିଲା । ଆଜାଦଙ୍କ ପାଖରେ ବି ମାତ୍ର ଗୋଟେ ଗୁଳି ବାକି ଥିଲା । ସେ କେବଳ ନାମରେ ଆଜାଦ ନ ଥିଲେ, ତାଙ୍କ ରକ୍ତରେ ଆଜାଦୀ ଥିଲା । ସେ କହୁଥିଲେ ଶତ୍ରୁର ଗୁଳିକୁ ସାମ୍ନା କରିବୁ, ଆଜାଦ ଥିଲୁ ଓ ଆଜାଦ ରହିବୁ । ବ୍ରିଟିଶ ହାତରେ ଜୀବନ୍ତ ଧରା ପଡିବା ଅପେକ୍ଷା ଜନ୍ମଭୂମି ପାଇଁ ମୃତ୍ୟୁକୁ କୋଳେଇ ନେବା ତାଙ୍କୁ ସମ୍ମାନଜନକ ମନେ ହେଇଥିଲା । ପିସ୍ତଲର ଶେଷ ଗୁଳିଟି ନିଜ ମୁଣ୍ଡରେ ସେ ଫୁଟେଇ ଦେଇଥିଲେ । ହତଚକିତ ହେଇଯାଇଥିଲା ବ୍ରିଟିଶ ବାହିନୀ । ଚନ୍ଦ୍ରଶେଖର ୧୯୦୬ ମସିହା ଜୁଲାଇ ୨୩ ତାରିଖରେ ଅଲିରାଜପୁରର ଡାବରା ଠାରେ ଜନ୍ମ ଲାଭ କରିଥିଲେ । ତାଙ୍କର ପିତା ସୀତାରା ତିୱାରୀ ଓ ମାତା ଜାଗ୍ରାନୀ ଦେବୀ । ତାଙ୍କର ପ୍ରକୃତ ନାମ ଥିଲା ଚନ୍ଦ୍ରଶେଖର ତିୱାରୀ । ମାତା ଜାଗ୍ରାନୀ ଦେବୀ ତାଙ୍କ ପୁତ୍ର ଚନ୍ଦ୍ରଶେଖର ଜଣେ ସଂସ୍କୃତ ବିଦ୍ୱାନ ହୁଅନ୍ତୁ ବୋଲି ଇଚ୍ଛା କରୁଥିଲେ । ସେଥିପାଇଁ ତାଙ୍କୁ କାଶୀ ବିଦ୍ୟାପୀଠକୁ ଛାଡ଼ିଥିଲେ । ମାତ୍ର ୧୯୨୧ରେ ୧୫ ବର୍ଷୀୟ ବାଳକ ଚନ୍ଦ୍ରଶେଖର ସେଠାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏବଂ ତା’ ପରେ ପରେ କ୍ରାନ୍ତିର ମହାସ୍ରୋତରେ ନିଜକୁ ସାମିଲ କରି ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉଠାଇଥିଲେ ।
କାକୋରୀ ଟ୍ରେନ ଲୁଟର ଅଭିଯୁକ୍ତ ତଥା ବ୍ରିଟିଶ ଅଧିକାରୀ ଜନ୍ ସାଣ୍ଡାର୍ଷକୁ ହତ୍ୟା କରିଥିବା ଭଗତ ସିଂହଙ୍କୁ ପିଛା କରୁଥିବା ହେଡ କନେଷ୍ଟବଲ୍ ଚନ୍ନନ୍ ସିଂହର ହତ୍ୟାକାରୀଙ୍କୁ ଜୀବନ୍ତ ଧ

ରିପାରି ନ ଥିଲା ବ୍ରିଟିଶ ପୁଲିସ । ଏହା ସେ ସମୟରେ ବ୍ରିଟିଶ ବାହିନୀ ପାଇଁ ବେଶ ଅପମାନ ଜନକ ଥିଲା । ଆଜି ମଧ୍ୟ ଆଜାଦଙ୍କ ବୀରତ୍ୱ ପାଇଁ ସାରା ଦେଶ ତାଙ୍କ ନାମ ଶୁଣିଲେ ମୁଣ୍ଡ ନୁଆଁଇଥାଏ, ହେଲେ ତାଙ୍କର ଯେଉଁ ବନ୍ଧୁ ବୀରଭଦ୍ର ତିୱାରୀଙ୍କ ସୂଚନା ଆଧାରରେ ସେଦିନ ବ୍ରିଟିଶ ପୁଲିସ ଆଲଫ୍ରେଡ଼ ପାର୍କ ଆସିଥିଲା, ସେ ବନ୍ଧୁଙ୍କ ସ୍ଥାନ ଆଜି ଇତିହାସରେ କେଉଁଠି? ବୀରଭଦ୍ର କ’ଣ ସତରେ ଆଜାଦଙ୍କ ବନ୍ଧୁ ଥିଲେ? ବନ୍ଧୁ କ’ଣ କେବେ ବିଶ୍ୱାସଘାତକତା କରିପାରେ? ନା ସେ କେବଳ ବନ୍ଧୁତାର ମୁଖା ପିନ୍ଧି ଆସିଥିଲେ? ବନ୍ଧୁ କେବେ ବନ୍ଧୁକୁ ମରଣ ମୁହଁକୁ ଠେଲିପାରିବନି, ବୀରଭଦ୍ର ବନ୍ଧୁ ହୋଇଥିଲେ ଆଜାଦଙ୍କୁ ଧରେଇବାକୁ ଉଦ୍ୟମ କରିନଥାନ୍ତେ, ବରଂ ନିଜେ ବ୍ରିଟିଶ ଗୁଳି ଆଗରେ ଛାତି ଦେଖେଇ ଆଜାଦଙ୍କୁ ବଞ୍ଚେଇଥାନ୍ତେ । ହେଲେ ଇତିହାସ ସାକ୍ଷୀ ଯେ ଆଜାଦଙ୍କ ମୃତ୍ୟୁ ପରେ ବିଶ୍ୱାସ ଘାତକ ବୀରଭଦ୍ରଙ୍କ ଘରର ରୂପରେଖ ଓ ଆର୍ଥିକ ସ୍ଥିତିରେ କିପରି ଅଚାନକ ବଦଳି ଯାଇଥିଲା ।
ଆଜାଦଙ୍କ ଭଳି ବହୁ ସଂଗ୍ରାମୀଙ୍କ ରକ୍ତରେ ଏ ଦେଶକୁ ଇଂରେଜ ଶାସନ କବଳରୁ ମୁକ୍ତି ମିଳିଛି । କିନ୍ତୁ ଆମର ଭଡ଼ାଟିଆ ଐତିହାସିକ ଆମକୁ ଟୋପି ପିନ୍ଧେଇ ଦେଇଗଲେ ଯେ ଏ ଦେଶକୁ ପୂର୍ବତନ ବ୍ରିଟିଶ ସର୍ଜେଣ୍ଟ ମେଜର ଓ ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିଶ ସପକ୍ଷରେ ସେନା ଯୋଗାଡ଼ କରିଥିବା ଆତ୍ମଘୋଷିତ ଅହିଂସାର ବ୍ରାଣ୍ଡ ଆମ୍ବାସଡ଼ର ଓ ଦେଶର ଶତ୍ରୁ ମାଉଣ୍ଟବ୍ୟାଟେନର ପରମ ମିତ୍ର ଏ ଦେଶକୁ ସ୍ୱାଧୀନତା ଦେଲେ ବୋଲି । ବ୍ରିଟିଶ ଗୁଳିରେ ଯେଉଁମାନଙ୍କ ଦେହ ଝାଞ୍ଜରା ହୋଇଗଲା, ଯେଉଁମାନଙ୍କ ସ୍ୱର ଫାଶୀ ଖୁଣ୍ଟରେ ହଜିଗଲା, ଯେଉଁମାନେ କଳା ପାଣିରେ ଅକଥନୀୟ ଅତ୍ୟାଚାର ସହିଲେ ଓ ନେତାଜୀଙ୍କ ଭଳି ବ୍ୟକ୍ତିତ୍ୱ, ଯିଏ ନିଜ ଦେଶପ୍ରେମ ପାଇଁ ଇତିହାସର ଅନ୍ଧଗଳିରେ ହଜିଗଲେ, ସେମାନଙ୍କୁ ଦେଶ ପାଇଁ ସେମାନଙ୍କ ତ୍ୟାଗ ତୁଳନାରେ ମିଳିଲାନି ସ୍ୱୀକୃତି, କିନ୍ତୁ ସ୍ୱାଧୀନତାର ସବୁ ଶ୍ରେୟ ନେଲେ ତଥାକଥିତ କ୍ଷମତାସୀନ ନେତୃ ବୃନ୍ଦ । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଆଜାଦଙ୍କ ଭଳି କ୍ରାନ୍ତିକାରୀଙ୍କ ପ୍ରେରଣାଦାୟୀ ଇତିହାସ ପଢିଲେ ମନ ବିଦ୍ରୋହ କରେ ଓ ଏଭଳି ବୀରପୁତ୍ରଙ୍କୁ ଯଥୋଚିତ ସମ୍ମାନ ଦେଇନଥିବା ଇତିହାସକୁ ଦେଖିଲେ ଆପେ ଆପେ ପାଟିରୁ ବାହାରି ଆସେ ଧିକ ସେ ଇତିହାସକୁ, ଧିକ୍କାର ସେ ଐତିହାସିକଙ୍କୁ ।

Flip Book Link:

Related Post