Latest News

ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗରଜୀ

ନରେନ୍ଦ୍ର ମୋଦୀ 25/03/2024ପୃଷ୍ଠଭୂମି

 ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗର ମହାରାଜଜୀ ଆମମାନଙ୍କୁ ଦୁଃଖସାଗରରେ ଭସାଇ ନିକଟରେ ସମାଧି ଲାଭ କରିଛନ୍ତି । ଆଚାର୍ଯ୍ୟଜୀଙ୍କ ଜୀବନ ପ୍ରଚଣ୍ଡ ପ୍ରଜ୍ଞା, ଅସୀମ ଅନୁକମ୍ପା ଓ ମାନବ ସମାଜର ଉତ୍ଥାନ ପାଇଁ ଅତୁଟ ପ୍ରତିବଦ୍ଧତାରେ ସଦାସର୍ବଦା ପରିପୂର୍ଣ୍ଣ ରହିଥିଲା । ଅନେକ ଥର ତାଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମତେ ପ୍ରାପ୍ତ ହୋଇଛି । ତେଣୁ ତାଙ୍କ ତିରୋଧାନରେ ମୋର ପ୍ରଭୂତ କ୍ଷତି ହୋଇଛି ଏବଂ ମୋତେ ଆଗକୁ ଆଲୋକବର୍ତ୍ତିକା ଭଳି ପଥ ପ୍ରଦର୍ଶନ କରୁଥିବା ଜଣେ ପ୍ରିୟ ଗୁରୁଙ୍କୁ ହରାଇବା ପରି ମୁଁ ଅନୁଭବ କରୁଛି । ମୋ ପରି ଅସଂଖ୍ୟ ଆତ୍ମାଙ୍କ ପାଇଁ ସେ ଥିଲେ ମାର୍ଗଦର୍ଶକ । ତାଙ୍କ ସ୍ନେହ, ଉଷ୍ମତା ଓ ଆଶୀର୍ବାଦ କେବଳ ଶୁଭେଚ୍ଛା ନ ଥିଲା । ଏହା ସମସ୍ତଙ୍କୁ ପ୍ରଭୂତ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରୁଥିଲା ଓ ଯେଉଁମାନେ ଆଚାର୍ଯ୍ୟ ଶିରୋମଣିଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ଏହି ଅସୀମ ଶକ୍ତି ଓ ପ୍ରେରଣାକୁ ନିଶ୍ଚୟ ଅନୁଭବ କରିଥିବେ ।

ପୂଜ୍ୟ ଆଚାର୍ଯ୍ୟଜୀ ସର୍ବଦା ଜ୍ଞାନ, ସମ୍ବେଦନା ଓ ସେବାର ତ୍ରିବେଣୀ ସଂଗମ ରୂପରେ ସମସ୍ତଙ୍କ ସ୍ମୃତିରେ ରହିଥିବେ । ପ୍ରକୃତରେ ସେ ଥିଲେ ଜଣେ ତପସ୍ୱୀ ଓ ତାଙ୍କ ଜୀବନ ଭଗବାନ ମହାବୀରଙ୍କ ଆଦର୍ଶର ଏକ ଅନୁକରଣୀୟ ଉଦାହରଣ ଥିଲା । ତାଙ୍କର ପ୍ରତିଟି କର୍ମରେ ଜୈନଧର୍ମର ମୂଳ ନୀତି ପ୍ରତିଫଳିତ ହେଉଥିଲା । ନିଜ ବଚନ ଓ ଜ୍ଞାନ ବିତରଣରେ ତାହା ପରିଲକ୍ଷିତ ହେଉଥିଲା । ସଂସାରର ପ୍ରତ୍ୟେକ ପ୍ରାଣୀଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ପ୍ରତିଟି ଜୀବଙ୍କ ପ୍ରତି ସମ୍ମାନର ପ୍ରତିଫଳନ ବୋଲି କୁହାଯାଇପାରେ । ସେ ସତ୍ୟର ଜୀବନ ଜୀଉଁଥିଲେ-ଏହା ମଧ୍ୟ ଜୈନ ଧର୍ମର ଚିନ୍ତନ, କଥନ ଓ କାର୍ଯ୍ୟର ସାଧୁତାକୁ ପ୍ରମାଣିତ କରେ । ତାଙ୍କ ଜୀବନଶୈଳୀ ଥିଲା ସରଳ । ତାଙ୍କ ଭଳି ମହାନ ସନ୍ଥଙ୍କ ପାଇଁ ହିଁ ଜୈନଧର୍ମ ଓ ଭଗବାନ ମହାବୀରଙ୍କ ଭଳି ଦିବ୍ୟାତ୍ମାଙ୍କ ପ୍ରତି ସମଗ୍ର ବିଶ୍ୱର ଶ୍ରଦ୍ଧା ଓ ସମ୍ମାନ ବୃଦ୍ଧି ପାଇଚାଲିଛି । ଜୈନବାଦ ଶୃଙ୍ଖଳାରେ ସେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ସତ; କିନ୍ତୁ ତାହା କେବଳ ସେହି ଗୋଷ୍ଠୀ ମଧ୍ୟରେ ସୀମିତ ନଥିଲା ବରଂ ତାଙ୍କ ସତ୍ୟନିଷ୍ଠ ବ୍ୟକ୍ତିତ୍ୱର ପ୍ରଭାବ ଓ ବ୍ୟାପ୍ତି ସମଗ୍ର ମାନବ ସମାଜ ଉପରେ ପଡ଼ିଥିଲା । ସବୁ ଧର୍ମ, ଆସ୍ଥା ଓ ସଂସ୍କୃତିର ଲୋକେ ତାଙ୍କ ପାଖକୁ ଆସୁଥିଲେ, ସେମାନଙ୍କ ମନରେ ବିଶେଷ କରି ଯୁବଗୋଷ୍ଠୀଙ୍କ ହୃଦୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ନିମନ୍ତେ ସେ ଅବିଶ୍ରାନ୍ତ ଭାବେ ତତ୍ପର ଥିଲେ ।
ଶିକ୍ଷା ଥିଲା ସନ୍ଥ ମହାରାଜଙ୍କର ସବୁଠାରୁ ପ୍ରିୟ ଏବଂ ହୃଦୟର ନିକଟତର । ବିଦ୍ୟାଧର (ତାଙ୍କର ବାଲ୍ୟକାଳର ନାମ) ଠାରୁ ବିଦ୍ୟାସାଗର ପର୍ଯ୍ୟନ୍ତ ତାଙ୍କର ଯାତ୍ରା କେବଳ ଜ୍ଞାନ ଆହରଣ ଓ ଜ୍ଞାନ ବିତରଣ ସକାଶେ ହିଁ ସମର୍ପିତ ଥିଲା । ତାଙ୍କର ଅତୁଟ ବିଶ୍ୱାସ ଥିଲା ଯେ କେବଳ ଶିକ୍ଷାଦ୍ୱାରା ହିଁ ଏକ ରଚିତ ଏବଂ ପ୍ରଜ୍ଞାଦୀପ୍ତ ସମାଜ ଗଠନ କରାଯାଇପାରିବ । ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଶକ୍ତ କରିବା ନିମନ୍ତେ ସେ ଜ୍ଞାନକୁ ସାଧନ ରୂପେ ଉପଯୋଗ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ । ଏହାଦ୍ୱାରା ସେ ସମସ୍ତଙ୍କୁ ଏକ ଉଦ୍ଦେଶ୍ୟପୂର୍ବକ ଓ ସମାଜ ପ୍ରତି ସମର୍ପିତ ଜୀବନ ବଞ୍ଚିବାକୁ ପ୍ରେରଣା ଯୋଗାଉଥିଲେ । ତାଙ୍କ ଶିକ୍ଷାରେ ସେ ସ୍ୱାଧ୍ୟାୟ ଓ ଆତ୍ମ-ସଚେତନତାକୁ ହିଁ ବାସ୍ତବ ପ୍ରଜ୍ଞା ପ୍ରାପ୍ତିର ମାର୍ଗ ରୂପେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଉଥିଲେ । ତେଣୁ ସେ ନିଜର ଅନୁଗାମୀମାନଙ୍କୁ ଆଜୀବନ ଜ୍ଞାନାନୁସନ୍ଧାନୀ ଏବଂ ଆଧ୍ୟାତ୍ମିକ ବିକାଶ ମାର୍ଗରେ ପଥିକ ହେବା ଲାଗି ଉପଦେଶ ଦେଇଥିଲେ ।
ଏହା ସହିତ ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସାଗରଜୀ ମହାରାଜଜୀ ଆମର ଯୁବଗୋଷ୍ଠୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରାପ୍ତି ନିମନ୍ତେ ପ୍ରବର୍ତ୍ତାଉଥିଲେ । ବାସ୍ତବ ଶିକ୍ଷା ଆମର ସାଂସ୍କୃତିକ ଚିନ୍ତାଧାରାରେ ନିହିତ ରହିଛି ବୋଲି ମତ ପୋଷଣ କରୁଥିଲେ । ଆମେ ଅତୀତର ସାଂସ୍କୃତିକ ବୈଠକ ଏବଂ ଶିକ୍ଷାଠାରୁ ଦୂରେଇ ଯାଉଥିବା ହେତୁ ଏବେ ଜଳ ସଂକଟର ସମାଧାନ ସୂତ୍ର ଖୋଜି ପାଇବାକୁ ଅସମର୍ଥ । ସାମଗ୍ରିକ ଶିକ୍ଷା ଜଣେ ବିଦ୍ୟାର୍ଥୀକୁ କୁଶଳୀ ଓ ସୃଜନଶୀଳ କରିଥାଏ ବୋଲି ତାଙ୍କର ଦୃଢ଼ ଯୁକ୍ତି ଥିଲା । ଭାରତର ଭାଷାଭିଭିକ ବିବିଧତାକୁ ନେଇ ସେ ସଦାସର୍ବଦା ଗର୍ବ ଓ ଗୌରବ ଅନୁଭବ କରୁଥିଲେ ଏବଂ ଭାରତୀୟ ଭାଷା ଅଧ୍ୟୟନ ସକାଶେ ଯୁବବର୍ଗଙ୍କୁ ପରାମର୍ଶ ଦେଉଥିଲେ ।
ପୂଜ୍ୟ ଆଚାର୍ଯ୍ୟଜୀ ସ୍ୱୟଂ ସଂସ୍କୃତ, ପ୍ରାକୃତ ଓ ହିନ୍ଦୀରେ ବ୍ୟାପକ ଗ୍ରନ୍ଥ ରଚନା କରିଛନ୍ତି । ଜଣେ ମୁନି ଭାବେ ସେ ସୁଉଚ୍ଚ ଶିଖରରେ ପହଞ୍ଚିଥିଲେ, ତଥାପି ସଦାବେଳେ ସେ ଥିଲେ ଆଭୂମ । ତାଙ୍କର ଚର୍ଚ୍ଚିତ ପୁସ୍ତକ ‘ମୂଳମାଟି’ରୁ ଏହା ସୁସ୍ପଷ୍ଟ । ନିଜର କାର୍ଯ୍ୟବଳୀ ମାଧ୍ୟମରେ

େ ଅବହେଳିତ ଲୋକମାନଙ୍କୁ ସ୍ୱର ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ପୂଜ୍ୟ ଆଚାର୍ଯ୍ୟଜୀଙ୍କ ଅବଦାନ ଥିଲା ଯୁଗାନ୍ତକାରୀ ଓ ପରିବର୍ତ୍ତନକାରୀ । ସେ ଅନେକ ଲୋକହିତକର କାର୍ଯ୍ୟକ୍ରମ ସହିତ ସଂଶ୍ଳିଷ୍ଟ ଥିଲେ । ବିଶେଷକରି ଅବହେଳିତ କ୍ଷେତ୍ରର ବିକାଶ ସମନ୍ୱିତ ଶାରୀରିକ ନିରାମୟତା ସହିତ ଆଧ୍ୟାତ୍ମିକ କଲ୍ୟାଣ ପାଇଁ ଜଣେ ବ୍ୟକ୍ତିର ସକଳ ପ୍ରକାର ଆବଶ୍ୟକତା ପୂରଣ ଦିଗରେ ସେ ପ୍ରୟାସୀ ଥିଲେ । ଆଗାମୀ ପିଢ଼ିଙ୍କୁ ମୁଁ ବିଶେଷ ଭାବରେ ନିବେଦନ କରିବି ଯେ, ସନ୍ଥ ଶିରୋମଣି ଆଚାର୍ଯ୍ୟ ବିଦ୍ୟାସଗରଜୀ ମହାରାଜଜୀଙ୍କ ରାଷ୍ଟ୍ର ନିର୍ମାଣ ପ୍ରତି ଥିବା ପ୍ରତିବଦ୍ଧତା ସମ୍ପର୍କରେ ବ୍ୟାପକ ମାତ୍ରାରେ ଅଧ୍ୟୟନ କରନ୍ତୁ । ସନ୍ଥଜୀ ସଦାସର୍ବଦା ନିବେଦନ କରୁଥିଲେ ଯେ ପକ୍ଷପାତପୂର୍ଣ୍ଣ ବିଚାରଧାରାଠାରୁ ଦୂରେଇ ରହିବା, ଏବଂ ଜାତୀୟ ସ୍ୱାର୍ଥ ପାଇଁ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । ଭୋଟ ଦାନର ସେ ଥିଲେ ଜଣେ ଦୃଢ଼ ବକ୍ତା, କାରଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ଓ ମତପୋଷଣ କରିବାର ଏହା ହେଉଛି ସବୁଠାରୁ ବଡ଼ ସାଧନା । ଏକ ସୁସ୍ଥ ଓ ସ୍ୱଚ୍ଛ ରାଜନୈତିକ ବ୍ୟବସ୍ଥା ପାଇଁ ମଧ୍ୟ ସେ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଥିଲେ । ସରକାରଙ୍କର ସବୁ ନୀତି ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ହେବା ଉଚିତ ବୋଲି । ତାଙ୍କର ବଳିଷ୍ଠ ମତ ଥିଲା । ଏହା କୌଣସି ଆତ୍ମ ସ୍ୱାର୍ଥ ପାଇଁ ନୁହେଁ ।

ସେ ବିଶ୍ୱାସୀ ଥିଲେ ଯେ, ନାଗରିକମାନେ ସେମାନଙ୍କର କର୍ତ୍ତବ୍ୟ ନିଜ ପାଇଁ, ନିଜ ପରିବାର ପାଇଁ, ସମାଜ ଓ ରାଷ୍ଟ୍ର ପାଇଁ ନିଷ୍ଠାବାନ ରହିଲେ ରାଷ୍ଟ୍ରର ଭିତ୍ତି ସୁଦୃଢ଼ ହୋଇପାରିବ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସାଧୁତା, ନିଷ୍ଠାବାନ ଓ ଆତ୍ମନିର୍ଭରଶୀଳ ହେବା ସକାଶେ ସେ ପରାମର୍ଶ ଦେଉଥିଲେ । ଯାହାକି ଏକ ସମ୍ବେଦନଶୀଳ ତଥା ପ୍ରଗତିଶୀଳ ସମାଜ ଗଠନରେ ସହାୟକ ହୋଇପାରିବ । ସାରା ବିଶ୍ୱରେ ଅଧୁନା ଯେତେବେଳେ ପାରିବେଶିକ ଅବକ୍ଷୟ ବ୍ୟାପକ ମାତ୍ରାରେ ଘଟିଚାଲିଛି, ସତେବେଳେ ପୂଜ୍ୟ ଆଚାର୍ଯ୍ୟଜୀ ପ୍ରକୃତି ପ୍ରତି ଆମେ ସଭିଏଁ ଯେପରି ସାମାନ୍ୟତମ କ୍ଷତି ନ ପହଞ୍ଚାଇବା ସେଥିପ୍ରତି ସଦାସର୍ବଦା ସଚେତନ ରହିବାକୁ ସେ କହୁଥିଲେ । ଆମ ଅର୍ଥନୀତିରେ କୃଷିର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରୁଥିଲେ ଏବଂ ଏଥିସହିତ କୃଷିକୁ ଆଧୁନିକ ପୋଷଣୀୟ କରିବା ନିମନ୍ତେ ପରାମର୍ଶ ଦେଉଥିଲେ । ଜେଲର ଅନ୍ତେବାସୀଙ୍କ ପାଇଁ ତାଙ୍କ ସଂସ୍କାର ପରାମର୍ଶ ମଧ୍ୟ ଥିଲା ଗୁରୁତ୍ୱପୂର୍ଣ୍ଣ । 
ଆମ ଭୂମିର ସୌନ୍ଦର୍ଯ୍ୟ ଅତୁଲ୍ୟ ତାହା ହଜାର ହଜାର ବର୍ଷ ଧରି ଅତୁଟ ରହିଆସିଛି । ଆମ ଭୂମି ଅସଂଖ୍ୟ ମହାପୁରୁଷଙ୍କୁ ଜନ୍ମ ଦେଇଛି, ସେହିଭଳି ସନ୍ଥ ଓ ସମାଜ ସଂସ୍କାରକଙ୍କ ସୂଚୀରେ ଆଚାର୍ଯ୍ୟଜୀ ଆମ ଦେଶର ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱ ରୂପେ ବିଦ୍ୟମାନ । ସେ ଯାହାକିଛି କରୁଥିଲେ ତାହା କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ଅଭିପ୍ରେତ ଥିଲା । ଗତବର୍ଷ ନଭେମ୍ବର ମାସରେ, ଛତିଶଗଡ଼ର ଡୋଙ୍ଗରଗଡ଼ ସ୍ଥିତ ଚନ୍ଦ୍ରଗିରି ଜୈନ ମନ୍ଦିର ପରିଦର୍ଶନର ସୌଭାଗ୍ୟ ମୋତେ ମିଳିଥିଲା । ସେତେବେଳେ କିନ୍ତୁ ମୁଁ ସାମାନ୍ୟତମ ଆଭାସ ପାଇନଥିଲି ଯେ, ପୂଜ୍ୟ ଗୁରୁଜୀଙ୍କ ସହ ତାହା ଥିଲା ମୋର ଅନ୍ତିମ ସାକ୍ଷାତ । ସେ ମୁହୂର୍ତ୍ତ, ବିଶେଷ ମହତ୍ତ୍ୱ ବହନ କରିଥିଲା । ଦୀର୍ଘ ସମୟ ଧରି ସେ ମୋ ସହ ବାର୍ତ୍ତାଳାପ କରିଥିଲେ । ରାଷ୍ଟ୍ର ନିର୍ମାଣ ପାଇଁ ମୋର ପ୍ରୟାସକୁ ଆଶୀର୍ବାଦ ଦେଉଥିଲେ । ଆମ ଦେଶର ପ୍ରଗତି ଓ ସମଗ୍ର ବିଶ୍ୱରେ ଏହା ପାଉଥିବା ସମ୍ମାନ ପାଇଁ ସେ ତାଙ୍କର ସନ୍ତୋଷ ବ୍ୟକ୍ତ କରିଥିଲେ । ସେ ଯେଉଁସବୁ କାର୍ଯ୍ୟ କରୁଥିଲେ ସେକଥା କହିଲାବେଳେ ଆନନ୍ଦରେ ଗଦ୍‌ଗଦ୍ ହୋଇ ଉଠୁଥିଲେ । ତାଙ୍କର ସେଇ ନିରୀହ ଦୃଷ୍ଟି ଓ ପ୍ରଶାନ୍ତ ସ୍ମିତହାସ୍ୟ ପ୍ରତ୍ୟେକଙ୍କ ମନରେ ଶାନ୍ତି ଓ ଉତ୍ସାହ ଭରିଦେବା ପାଇଁ ପର୍ଯ୍ୟାପ୍ତ । ତାଙ୍କର ଆଶୀର୍ବାଦ ଥିଲା ହୃଦୟକୁ ଶାନ୍ତ କରିବା ଭଳି ଚନ୍ଦନ ସଦୃଶ, ଯାହାକି ତାଙ୍କ ଭିତରେ ଓ ଚତୁଃପାର୍ଶ୍ୱରେ ଏକ ଦିବ୍ୟ ବାତାବରଣକୁ ପ୍ରତିପାଦିତ କରୁଥିଲା । ସନ୍ଥ ଶିରୋମଣି ଆଚାର୍ଯ୍ୟ ଶ୍ରୀ ୧୦୮ ବିଦ୍ୟାସାଗରଜୀ ମହାରାଜଜୀଙ୍କ ଅବର୍ତ୍ତମାନରେ ସୃଷ୍ଟ ଶୂନ୍ୟତା ସଭିଏଁ ଗଭୀର ଭାବେ ଅନୁଭବ କରୁଛନ୍ତି । ଯେଉଁମାନେ ତାଙ୍କୁ ଜାଣିଥିଲେ ସେମାନେ ତାଙ୍କର ଶିକ୍ଷା ଓ ଜୀବନ ଦ୍ୱାରା ଅନୁପ୍ରାଣୀତ । ତାଙ୍କ ସ୍ମୃତିକୁ ସମ୍ମାନ ପ୍ରଦର୍ଶନପୂର୍ବକ, ସେ ଯେଉଁ ଆଦର୍ଶରେ ଜୀବନ ବଞ୍ଚିଥିଲେ ଓ ସମସ୍ତଙ୍କୁ ପରାମର୍ଶ ଦେଉଥିଲେ, ତାକୁ ସଭିଏଁ ଆହରଣ ପାଇଁ ସଂକଳ୍ପବଦ୍ଧ ହେବା । ତଦ୍ୱାରା କେବଳ ଏହି ମହାନ ଆତ୍ମାଙ୍କ ପ୍ରତି ଆମର ଉପଯୁକ୍ତ ଓ ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବନାହିଁ, ଅପରପକ୍ଷେ ଆମ ରାଷ୍ଟ୍ର ଓ ଲୋକମାନଙ୍କୁ ଆଗକୁ ଆଗେଇ ନେବା ସକାଶେ ତାଙ୍କ ଅଭିଯାନ ମଧ୍ୟ ସାକାର ହୋଇପାରିବ ।

Flip Book Link:

Related Post