Latest News

ଅମର ବଳିଦାନୀ ହେମୁ କାଲାଣୀ

ପ୍ରଦୀପ୍ତ ରଞ୍ଜନ ସାମଲ 18/03/2024ପୃଷ୍ଠଭୂମି

ସମୟ ପ୍ରାୟ ସକାଳ ୯ଟା ହେବ ପୂର୍ବକାଶର କିଛି ବାଟ ଊର୍ଦ୍ଧ୍ୱକୁ ଆସିଗଲାଣି ଚତୁର୍ଦ୍ଦିଗ କର୍ମମୟ, ଚଞ୍ଚଳ ବାତାବରଣ । ଗତାନୁଗତିକ କାର୍ଯ୍ୟଧାରାରେ ବ୍ୟସ୍ତ ଥାଇ ମା’ ମଧ୍ୟାହ୍ନ ଭୋଜନର ପ୍ରସ୍ତୁତିରେ ନିମଗ୍ନ ଥାନ୍ତି । ଏହା ଭିତରେ ୭ବର୍ଷର ଛୁଆ କଥା ଭୁଲିଯାଇ ଥାଆନ୍ତି । ନିକଟସ୍ଥ କୋଠରି ଭିତରୁ ଖଡ଼ଖାଡ଼ ଶବ୍ଦ ଶୁଣି ପୁଅ କଥା ମନେ ପଡ଼ିଗଲା । କୌତୁହଳ ବଶତଃ ମାଆ ଘର ଭିତରକୁ ଉଙ୍କି ମାରିଲେ । ଆଉ ଯାହା ଦେଖିଲେ ସେଥିରେ ତାଙ୍କର ହଲକ ଶୁଖି ଗଲା । ତାଙ୍କର ଅତି ଆଦରର ପୁଅ ଗଳାରେ ଫାଶି ଲଗାଇ ଜୀବନ ମୃତ୍ୟୁର ଖେଳ ଖେଳୁଛି । ଦୌଡ଼ିଯାଇ ମା’ ପୁଅକୁ କୁଣ୍ଢାଇ ପକାଇଲେ । ଆଉ ଦୌଡ଼ିଟିକୁ ଦୂରକୁ ଛାଟିଦେଲେ, ଗାଳି ଦେଇ କହିଲେ, “ପାଗଳ ଟା କିରେ! ଏ କ’ଣ କି” ପିଲାଟି ଉତ୍ତର ଦେଲା, ଆରେ ମାଆ! ତୁ ଚିନ୍ତା କରନା, ମୁଁ ମରିିବାକୁ ଯାଉ ନ ଥିଲି, ମୁଁ ତ କେବଳ ଅନୁଭବ କରିବାକୁ ଚାହୁଁଥିଲି ଯେ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାନ କ୍ରାନ୍ତିକାରୀ ଭଗତ ସିଂହ ଯେତେବେଳେ ଫାଶୀ ପାଇଥିଲେ ସେତେବେଳେ ତାଙ୍କୁ କିପରି ଲାଗୁଥିବ । କାରଣ ମୁଁ ମଧ୍ୟ ବଡ଼ ହୋଇ ସେହିପରି ମାତୃଭୂମିର ମୁକ୍ତି ପାଇଁ ବଳିଦାନୀ ହେବାକୁ ଇଚ୍ଛା ରଖିଛି । ପିଲାଟିର ଏପରି ନିଷ୍ଠୁର ବଚନ ଶୁଣି, ଆଉ ଏପରି ଦୃଢ଼ସଂକଳ୍ପପୂର୍ଣ୍ଣ ତେଜସ୍ୱୀ ମୁଖ ମଣ୍ଡଳକୁ ଦେଖି କିଂକର୍ତ୍ତବ୍ୟବିମୂଢ଼ ମା’ ଆଗାମୀ ଆଶଙ୍କାରେ ପ୍ରମାଦ ଗଣିବାକୁ ଆରମ୍ଭ କଲେ ।
କିଏ ଏହି ବାଳୁତ ବୀର ଯାହାର ଧମନୀରେ ଭାରତମାତାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାର ସଂଗ୍ରାମୀରକ୍ତ ପ୍ରବାହିତ ହେଉଥିଲା? ସେ ଥିଲେ ମହାନ କ୍ରାନ୍ତିକାରୀ ହେମୁ କାଲାଣୀ । ୧୯୨୩ ମସିହା ମାର୍ଚ୍ଚ ୨୩ ତାରିଖରେ ତତ୍କାଳୀନ ସିନ୍ଧୁ ପ୍ରଦେଶର (ପାକିସ୍ଥାନ)ସକ୍‌ଗର ନାମକ ସ୍ଥାନରେ ପିତା ପୈଶମଲ୍ କଲ୍ୟାଣୀ ଏବଂ ମାତା ଜେଠୁବାଈଙ୍କ କୋଳମଣ୍ଡନ କରି ଭାରତରର ପବିତ୍ର ଭୂମିରେ ପଦାର୍ପଣ କରିଥିଲେ । ଏହି କ୍ରାନ୍ତିକାରୀଙ୍କର ପ୍ରକୃତ ନାମ ଥିଲା ହେମନ୍ତ ଦାସ । କିନ୍ତୁ ସମସ୍ତେ ଆଦରରେ ଡାକୁଥିଲେ ହେମୁ । ପିଲାଦିନରୁ ହେମୁ ଥିଲେ ଜଣେ ଉତ୍ତମ ବିଦ୍ୟାର୍ଥୀ । ଖାଲି ପାଠ ପଢ଼ା ନୁହେଁ ଖେଳ, କସରତ ସାଙ୍ଗକୁ ଆଖଡାଶାଳରେ କୁସ୍ତି, ପ୍ରଖର ନଦୀ ସ୍ରୋତରେ ପହଁରିବାରେ ଖଣ୍ଡମଣ୍ଡଳରେ ତାଙ୍କ ସମକକ୍ଷ କେହି ନ ଥିଲେ । ତା ସାଙ୍ଗକୁ ତାଙ୍କ ପରିବାର ଥିଲା ଦେଶପ୍ରେମୀ ସଂଗ୍ରାମୀ ପରିବାର । କକା ଗଙ୍ଗାରାମ କାଲାଣୀ ସେ ଅଞ୍ଚଳର ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପୁଣି ବଡ଼ ଭାଇ ଚାନ୍ଦ କାଲାଣୀ ମଧ୍ୟ ଅନ୍ୟତମ କ୍ରାନ୍ତିକାରୀ ଥିଲେ । ତେଣୁ ଶଶିକଳା ପରି ବଢ଼ି ଚାଲିଥିବା ପିଲାଟିର ମାନସ ପଟରେ ବଢ଼ି ଚାଲିଥିଲା ଦେଶ ଭକ୍ତିର ସଂସ୍କାର । ସାତବର୍ଷରୁ ଏହି ବାଳକଟିର ପ୍ରିୟତମ ଖେଳଣା ଥିଲା ତ୍ରିରଙ୍ଗା ପତାକା । ଆଜାଦୀର ଭୂତ ସତେ ଅବା ତାହାର କୁନି କଳେବର ମଧ୍ୟରେ କେଉଁ ଦିନରୁ ବସା ବାନ୍ଧି ଥିଲା । ନିଜର କୁନି କୁନି ବାଲ୍ୟ ବନ୍ଧୁକୁ ସାଙ୍ଗରେ ଧରି ତ୍ରିରଙ୍ଗା ପତାକା ଉଡାଇ ବାନର ସେନା ସାଜି ଗଳିକନ୍ଦିରେ ହେମୁ ଗାଇ ଗାଇ ଯାଉଥିଲା -
ତ୍ରିରଙ୍ଗା ପତାକା ଉଡ଼େ ଫରଫର
କମ୍ପଇ ଫିରଙ୍ଗୀ ଭୟରେ ଥରଥର ।
ଏକଦା କୌଣସିି କାରଣରୁ ପିତା କୈଶୁମଲଙ୍କୁ ଇଂରେଜ ସିପାହୀ ହାତକଡ଼ି ପକାଇ ବନ୍ଦୀ କରିନେଲେ । ସହପାଠୀ ମାନଙ୍କଠାରୁ ଖବର ପାଇବା ମାତ୍ରେ ପିତାଙ୍କୁ ମୁକ୍ତ କରିିବା ପାଇଁ ବନ୍ଧୁକ ଧରି ବାହାରି ପଡିଲା ହେମୁ । କିନ୍ତୁ ଏପରି ଭୁଲ ପଦକ୍ଷେପରୁ କ୍ଷାନ୍ତ କରିଥିଲେ ତାଙ୍କର ଶିକ୍ଷକ । ସେ ବୁଝାଇଥିଲେ, ଦେଖ ହେମୁ ତୁମର ଏ ପଦକ୍ଷେପ ତୁମକୁ ମୃତ୍ୟୁମୁଖକୁ ଟାଣି ନେବ ଏବଂ ତୁମେ ତୁମ ଲକ୍ଷ୍ୟରେ ପହଞ୍ଚି ପାରିିବ ନାହିଁ । ଏପରି କାର୍ଯ୍ୟ ପାଇଁ ଆବଶ୍ୟକ ସଠିକ ଯୋଜନା ଆଉ ଯୋଜନା ସଫଳ ରୂପାୟନ ପାଇଁ ଆବଶ୍ୟକ ସୁଦୃଢ଼ ସଙ୍ଗଠନ । ଅରଣ୍ୟର ଖାଲ ଖମାରେ ଦିଶାହିନ ଝରଣାଟିଏ ଯେପରି ନଦୀର ସହ ମିଶି ସାଗର ସଙ୍ଗମ ନିମନ୍ତେ ଅଗ୍ରସର ହୁଏ । ହେମୁର ମନ ସେହିପରି ଉପଯୁକ୍ତ ମାର୍ଗର ସଂଧାନ ପାଇଲା ଆଉ ସଙ୍ଗଠନରେ ବ୍ରତୀ ହେଲା । ହେମୁ ସ୍ୱରାଜ ସେନା ନାମକ କ୍ରାନ୍ତିକାରୀ ସଙ୍ଗଠନରେ ଯୋଗଦେଲା । ଇଂରେଜ ଅଧିକାରୀମାନଙ୍କ ବାହନରେ ଅଗ୍ନି ସଂଯୋଗ କରିବା, ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରି ଭୟଭୀତ କରିବା ଇତ୍ୟାଦି କାର୍ଯ୍ୟରେ ହେମୁ ଓ ତାର ସାଥୀମାନେ ପାରଙ୍ଗମ ଥିଲେ । ଆଉ ସବୁଠରୁ ବଡ଼ କଥା ହେଲା ତାଙ୍କର କାର୍ଯ୍ୟକଳାପର ଟେର ମଧ୍ୟ ପାଉ ନ ଥିଲେ ସୁଚତୁର ଇଂରେଜ ଅଧିକାରୀ । କାରଣ ଏହି କାର୍ଯ୍ୟରେ ହେମୁଙ୍କର ସାଥୀ ଥିଲେ ତାଙ୍କର ବାଲ୍ୟବନ୍ଧୁମାନେ ଯଥା ପ୍ରକାଶ, କେଶୁବାନ, ନନ୍ଦ ଇତ୍ୟାଦି । ଏକଦା ଗାନ୍ଧିଜୀଙ୍କର କରାଚୀ ପ୍ରବାସ ହେଲା । ହେମୁ ଓ ସାଥୀ କେଜୁବାନ ଗାନ୍ଧିଜୀଙ୍କ ସମ୍ପର୍କରେ ଆସିବାର ସୁଯୋଗ ପାଇଲେ । ଗାନ୍ଧିଜୀଙ୍କ ପ୍ରେରଣ।।ରେ ହେମୁ ଓ ତାଙ୍କ ସହଯୋଗୀମାନେ ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କଲେ । ତାଙ୍କର ବଳିଷ୍ଠ ନେତୃତ୍ୱ ଫଳରେ ସିନ୍ଧୁ ପ୍ରଦେଶରେ ସର୍ବତ୍ର ଇଂରେଜ ବିରୋଧୀ ନାରା ଗୁଡ଼ିକ ଗୁଞ୍ଜରିତ ହେଉଥିଲା । ଇଂରେଜମାନେ ଶୀର୍ଷ ନେତୃତ୍ୱମାନଙ୍କୁ ବିପୁଳ ସଂଖ୍ୟାରେ ବନ୍ଦୀ କରିନେବା ଫଳରେ ଭାରତଛାଡ଼ ଆନ୍ଦୋଳନ ନେତୃତ୍ୱ ବିହୀନ ହୋଇ ପଡ଼ିଲା । କିନ୍ତୁ ହେମୁ ଓ ତାଙ୍କ ସଂଗଠନ ତାଙ୍କ ଅଞ୍ଚଳରେ ଆନ୍ଦୋଳନ ଚଳାଇ ରଖିଥିଲେ । କେବଳ ଜୁଲୁସ ଆଉ ଜଲସାରେ ସୀମିତ ନ ରହି ହ

େମୁ ଇଂରେଜମାନଙ୍କ ଉପରେ ବଡ଼ଧରଣର ଆକ୍ରମଣ କରି ଭୟଭୀତ କରିବାର ସୁଯୋଗ ହାତଛଡ଼ା କରୁନଥିଲେ । ତାଙ୍କର ସଫଳ ଯୋଜନା ଓ ତାହାର ସଫଳ ରୂପାୟନ ଇଂରେଜ ଶାସନର ନିଅଁକୁ ଦୋହଲାଇ ଦେଇଥିଲେ । ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଡୁଥିବା ୟୁନିୟନ ଜ୍ୟାକ୍‌କୁ ସେ ନିଜ ସାଥୀମାନଙ୍କ ସହ ଏପରି ଭାବରେ କାଢ଼ି ତ୍ରିରଙ୍ଗାକୁ ଉଡ଼ାଇ ଦେଲେ କେହି ତାହାର ବିନ୍ଦୁ ବିସର୍ଗ ଜାଣି ପାରି ନ ଥିଲେ । ସେହିପରି ସେକ୍ଟରର ପୁଲିସ ଚୌକ୍ ଉପରେ ହେମୁ ବମ୍ ପକାଇ ପୁଲିସ ହୃଦୟରେ ଭୟର ବାତାବରଣ ସୃଷ୍ଟି କରିବାରେ ସଫଳ ହେଲେ । ପୁଣି ଏକ ପୁଲିସ ଥାନାରେ ବମ୍ ପକାଇବାରେ ମଧ୍ୟ ସଫଳ ହୋଇଥିଲେ । ଏହାପରେ ସିନ୍ଧୁ ପ୍ରଦେଶର ମୁଖ୍ୟ ଅଦାଲତରେ ମଧ୍ୟ ବମ୍ ଖଞ୍ଜିବାର ଯୋଜନାରେ ସଫଳ ହୋଇଥିଲେ । କିନ୍ତୁ କୌଣସି ଜଣେ ବ୍ୟକ୍ତି ଆଖିରେ ବମ୍ ଟିଏ ଧରା ପଡ଼ିଲା ପରେ ଶାସନକଳ ଆଗେ ବମ୍ ଗୁଡିକୁ ଖୋଜା ଖୋଜି କରି ପାଇବାରେ ସଫଳ ହେଲେ; ନଚେତ୍ ଇଂରେଜ ଅଧିକାରୀମାନଙ୍କ ପରିସ୍ଥିତି ସାଙ୍ଘାତିକ ହୋଇଥାନ୍ତା ।
ଏହି ସମୟରେ ଚାଚା ଗଙ୍ଗାରାମ ଏକ ଗୁରୁତ୍ୱପୂର୍ଣ୍ଣ ସୂନନା ହେମୁ ଓ ତା’ ସାଥୀମାନଙ୍କୁ ଦେଲେ । ବେଲୁଚିସ୍ଥାନର ଆନ୍ଦୋଳନକୁ ଦମନ କରିବାକୁ ଏକ ଇଂରେଜ ସୈନ୍ୟବାହିନୀ ଗୋଳା ବାରୁଦ ଓ ଅସ୍ତ୍ରଶସ୍ତ୍ର ସହ ୧୯୪୨ ମସିହା ଅକ୍ଟୋବର ୨୩ ତାରିଖ ରାତିରେ ରୋହିଣୀ ରେଳଷ୍ଟେସନ ଦେଇ ଯିିବାର ଥିଲା । ହେମୁ ଓ ତାଙ୍କର ସହଯୋଗୀମାନେ ରେଳକୁ ଦୁର୍ଘଟଣା ଘଟାଇ ଇଂରେଜମାନଙ୍କୁ ଏକ ଜବରଦସ୍ତ କ୍ଷତି ଘଟାଇବାର ଯୋଜନା କଲେ । ଯୋଜନା ମୁତାବକ ହେମୁ ସାଥୀମାନଙ୍କ ସହ ଚଳଚ୍ଚିତ୍ର ଦେଖିବା ବାହାନାରେ ଏକାଠି ହେଲେ । ନିଶବ୍ଦ ରାତ୍ରୀରେ ରେଳଧାରଣାକୁ ଖୋଲିଦେବାର ଯୋଜନା କାର୍ଯ୍ୟକାରୀ ହେବାକୁ ଲାଗିଲା । କିନ୍ତୁ ଏପରି କାର୍ଯ୍ୟ କରିବାକୁ ଆବଶ୍ୟକ ଯନ୍ତ୍ରପାତି ସେମାନଙ୍କ ପାଖରେ ନ ଥିଲା । ଶେଷରେ ହେମୁ ହାତୁଡ଼ି ଓ ରେଞ୍ଚି ସାହାଯ୍ୟରେ ଖୋଲିବାକୁ ଚେଷ୍ଟା କଲେ । ହାତୁଡ଼ିର ପ୍ରଚଣ୍ଡ ପ୍ରହାର ନିକଟସ୍ଥ ବାସିନ୍ଦାଙ୍କର କର୍ଣ୍ଣଗୋଚର ହେଲା । କେହି ଜଣେ ଖବର ଦେଇ ଦେବାରୁ ହେମୁଙ୍କୁ ଓ ସାଥିଙ୍କୁ ପୁଲିସ କାବୁ କରିବାକୁ ଘେରାବନ୍ଦୀ କଲେ । କିନ୍ତୁ ହେମୁ ସମସ୍ତ ସାଥୀମାନଙ୍କୁ ସଫଳତା ସହ ଖସାଇ ଦେଇ ନିଜେ ଧରାପଡ଼ିଗଲେ । ତାଙ୍କୁ ନିଷ୍ଠୁର ଭାବରେ ପ୍ରହାର କରାଯାଇ ସାଥୀମ।।ନଙ୍କ ନାମ କହିଦେବାକୁ ଜୋର୍ କରାଗଲା । କିନ୍ତୁ ତାଙ୍କର କେବଳ ଏକ ହିଁ ଉତ୍ତର ଥିଲା, ମୋର ସାଥୀ କେବଳ ହାତୁଡ଼ି ଓ ରେଞ୍ଚି ହିଁ ଥିଲା । ଅଗତ୍ୟା ବିଚାର ଅଦାଲତରେ ହେମୁଙ୍କୁ ଆଜୀବନ କାରାବାସ ଦଣ୍ଡ ଶୁଣାଇ ଦିଆଗଲା । ଏହି ଦଣ୍ଡାଦେଶକୁ ଅନୁମୋଦନ ପାଇଁ ସିନ୍ଧୁ ପ୍ରଦେଶର ହାଇଦରବାଦ୍ ସ୍ଥିତ ସେନା ମୁଖ୍ୟାଳୟକୁ ପଠାଇଦିଆଗଲା । ସେନାର ପ୍ରମୁଖ ଅଧିକାରୀ କର୍ଣ୍ଣେଲ ରିଚାର୍ଡସନ ହେମୁକୁ ବ୍ରିଟିଶରାଜର ଅନ୍ୟତମ ବିପଦଜ୍ଜନକ ଶତ୍ରୁ ଭାବରେ ବିବେଚନା କରି ଆଜୀବନ କାରାବାସକୁ ଫାଶୀ ଦଣ୍ଡରେ ପରିବର୍ତ୍ତନ କଲେ । ୧୯୪୩ ମସିହା ଜାନୁୟାରୀ ୨୩ ତାରିଖରେ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହେବାକୁ ସ୍ଥିର ହେଲା । ଜେଲର ରହଣି ସମୟରେ ଅନ୍ୟତମ କ୍ରାନ୍ତିକାରୀ ଭ୍ରାତା ଟେକ୍‌ଚନ୍ଦ ତାଙ୍କୁ ଭେଟିବାକୁ ଆସିଥିଲେ । ଭାଇକୁ ଦେଖି ଅଶ୍ରୁ ସମ୍ବରଣ କରିପାରିଲେ ନାହିଁ ଟେକ୍‌ଚନ୍ଦ । କିନ୍ତୁ ହେମୁ କହିଲେ, ଭାଇ ମୋତେ ଆଶୀର୍ବାଦ କର ଯେପରି ପୁଣି ମୁଁ ଭାରତମାତାର କୋଳରେ ଜନ୍ମ ହୋଇ ଅଧୁରା ସ୍ୱପ୍ନକୁ ସାକାର କରିିିବି । ଗର୍ବରେ ୍ରଫୁଲି ଉଠିଲା ଟେକ୍‌ଚନ୍ଦଙ୍କର ବକ୍ଷ ଏପରି ବୀରର ଭ୍ରାତା ହିସାବରେ । ଯେତେବେଳେ ଅନ୍ତିମ ଇଚ୍ଛା ସମ୍ପର୍କରେ ହେମୁକୁ ପଚରାଗଲା, ସେତେବେଳେ ହେମୁ କହିଲେ ‘ଯେତେବେଳେ ଫାଶୀ ଖୁଣ୍ଟ ନିକଟକୁ ଯିବି ସେତେବେଳେ ମୋ ସହିତ ସେଠାରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଉଦ୍‌ଘେ।।ଷ କରିବେ ଇଂରେଜ ଶାସନ ମୁର୍ଦ୍ଦାବାଦ୍‌, ଭାରତମାତା କୀ ଜୟ, ଇତ୍ୟାଦି ।’ ଏପରି ଅଦ୍ଭୁତ ଇଚ୍ଛାକୁ ସାକାର କରିବାର ସତ୍‌ସାହସ ଇଂରେଜମାନଙ୍କର ନ ଥିଲା । ହସ ହସ ମୁହଁରେ ନିଜେ ଏକ ସୁବାସିତ ପୁ୍‌ଷ୍ପହାର ସଦୃଶ ଫାଶୀ ଦୌଡ଼ିକୁ ନିଜ କଣ୍ଠରେ ଲଗାଇବାର ବିରଳ ଦୃଶ୍ୟ ଇଂରେଜ ଅଧିକାରୀମାନଙ୍କୁ ଆଚମ୍ବିତ କରୁଥିବାବେଳେ ହେମୁଙ୍କ ପାଇଁ ଏହା ଥିଲା ବାଲ୍ୟକାଳର ଏକ ଅଭ୍ୟାସଗତ ଅନୁଭବୀ ଘଟଣା ।
ମାତ୍ର ୧୯ ବର୍ଷର ଏକ କିଶୋର, ଯିଏ ଏ ପ୍ରକାର ବଳିଦାନର ପରମ୍ପରା ସୃଷ୍ଟି କଲା । ବାସ୍ତବରେ ଆଜିର ଯୁବସମାଜର ଏକ ଆଦର୍ଶ । ଏଠାରେ ସ୍ମରଣଯୋଗ୍ୟ ଯେ ମହାନ କ୍ରାନ୍ତିକାରୀ ଭଗତ ସିଂହଙ୍କ ପୁଣ୍ୟତିଥି (୨୩ମାର୍ଚ୍ଚ) ହିଁ ଥିଲା ହେମୁ କାଲାଣୀଙ୍କ ଜନ୍ମଦିବସ । ସମ୍ଭବତଃ ସେଇଥିପାଇଁ ବାଲ୍ୟକାଳରୁ ହିଁ ଭଗତ ସିଂହ ତାଙ୍କର ଅନ୍ୟତମ ଆକର୍ଷଣ ଥିଲେ । ଯେତେବେଳେ ଏକଦା ବଳିଦାନୀଙ୍କର ବୀର ପ୍ରସବିନୀ ମାତାଙ୍କ ସାକ୍ଷାତ ହେଲା, ସେତେବେଳେ ଭଗତ ସିଂହଙ୍କ ମାତା ବିଦ୍ୟାବତୀ ଯଥାର୍ଥରେ କହିଥିଲେ, ହେମୁ ତ ମୋ ପୁଅ ଭଗତ ଠାରୁ ଅଧିକ ଭାଗ୍ୟଶାଳୀ କାରଣ ଭଗତ ଠାରୁ ଯଥେଷ୍ଟ ସାନ ହୋଇ ମଧ୍ୟ ହେମୁ ଇତିହାସ ରଚନା କରିଛି ।’ ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀ ହେମୁ କାଲାଣୀ ଏକ ଅନାଲୋଚିତ ଚରିତ୍ର । କିନ୍ତୁ ବେଲୁୁଚିସ୍ଥାନର ପୁରପଲ୍ଲୀରେ ଏହି ମହାନ କ୍ରାନ୍ତିକାରୀ ‘ସିନ୍ଧୁର ଭଗତ ସିଂହ’ ଭାବରେ ବେଶ୍ ଜଣାଶୁଣା । ହେ ମହାନ ବିଭୁତି ଏ ଦେଶ ଆପଣଙ୍କ ନିକଟରେ ଚିର ଋଣୀ ହୋଇ ରହିବ ।

Flip Book Link:

Related Post